ଜିଲାପାଳଙ୍କ ମିଳିତ ଜନଶୁଣାଣି:୧୧୬ ଅଭିଯୋଗରୁ ୪୪ ତୁରନ୍ତ ସମାଧାନ

ବିଞ୍ଝାରପୁର,୧୪|୮(ଡି.ଏନ୍‌.ଏ.)- ବିଞ୍ଝାରପୁର ବ୍ଲକ କାର୍ଯ୍ୟାଳୟ ପରିସର ସଭାଗୃହରେ ମଙ୍ଗଳବାର ଜିଲାପାଳଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ା ଏଥିରେ ଜିଲାପାଳ ରଞ୍ଜନ କୁମାର ଦାସଙ୍କ ସମେତ ବିଞ୍ଝାରପୁର ବିଧାୟିକା ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଏସ୍‌ପି ଚରଣ ସିଂ ମୀନା, ଏଡିଏମ୍‌ ମିହିର ପ୍ରସାଦ ମହାନ୍ତି, ଭାରପ୍ରାପ୍ତ ବିଡିଓ ମିନତୀ ଜଗଦେବ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନନ୍ଦ କିଶୋର ସାମଲ, ଉପାଧ୍ୟକ୍ଷା କୁମୁଦିନୀ ଦାସ ପ୍ରମୁଖ ଯୋଗଦେଇ ଥିଲେ। ଏହି ମିଳିତ ଜନଶୁଣାଣି ଶବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ମୋଟ ୧୧୬ଟି ଅଭିଯୋଗରୁ ୪୪ଟି ତୁରନ୍ତ ସମାଧାନ କରାଯାଇଥିଲା। ୧୦ ସାମୂହିକ ଓ ୯ ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୯୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଚିକଣା ପଞ୍ଚାୟତର ବହୁ ଚାଷୀ ଚାଷ ସମ୍ପର୍କରେ ଅଭିଯୋଗ କରିଥିଲେ। ଏଥିସହ ତେଣ୍ଟା ନାଳରେ ମାଛ ମରାକୁ କେନ୍ଦ୍ରକରି ଜଳ ପ୍ରତିରୋଧ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ହଜାର ହଜାର ହେକ୍ଟର ଚାଷଜମିକୁ ପାଣି ଯୋଗାଣ ପାଇଁ ଅଭିଯୋଗ କରିଥିଲେ। ଚାଷୀ ସୀତାକାନ୍ତ ସାମଲ, ବିଷ୍ଣୁ ମଲ୍ଲିକ, ବନମାଳୀ ମଲ୍ଲିକ, ସନାତନ ସାହୁ, ଦାମୋଦର ସେଠୀ, କାମଦେବ ମହାଳିକ, ଅଜୟ ଦାସ, କାଳନ୍ଦୀ ଯେନା, ବରପଦା ଅଞ୍ଚଳର ଚାଷୀ ବିଦ୍ୟାଧର ରାୟ ପ୍ରମୁଖ ଏହି ଅଭିଯୋଗ କରିଥିଲେ। ଚାଷୀଙ୍କ ଅଭିଯୋଗକୁ ଭିତ୍ତିକରି ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ଘଟଣାର ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଛୋଳ ଅଞ୍ଚଳରେ ଥିବା ସରକାରୀ ଗୋଚର ଓ ଅନାବାଦୀ ଜମିକୁ ବହୁ ମୁଷ୍ଟିମେୟ ଲୋକେ ନିଜ ଅକ୍ତିଆରରେ ରଖିଥିବାର ବାଛୋଳ ସମିତିସଭ୍ୟ ସୁରେନ୍ଦ୍ର କୁମାର ସାହୁ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଶୁଣାଣିରେ ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ନ ମିଳିବା , ପାଇଖାନା ଅର୍ଥ ମିଳିବାରେ ବିଳମ୍ବତା, ରାଶନକାର୍ଡ ନ ପାଇଥିବା ବହୁ ଯୋଗ୍ୟ ହିତାଧିକାରୀ ଅଭିଯୋଗ କରିଥିଲେ। ତୁରନ୍ତ ଅଭିଯୋଗଗୁଡିକୁ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି ଜନଶୁଣାଣି ଶିବିରରେ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ା