ଜିଲାପାଳଙ୍କ ଭଡ଼ା କାର ନମ୍ବର ପ୍ଲେଟ ରଙ୍ଗ ବଦଳିଲା

ଜଗତ୍‌ସିଂହପୁର ଅଫିସ,୬ା୬: ଜଗତ୍‌ସିଂହପୁର ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସରକାରୀ ଭାବେ ବ୍ୟବହାର କରୁଥିବା ଇନୋଭା କାରକୁ ନେଇ ନାନା କଥା ଆଲୋଚନା ଚାଲିଛି। ଏପରି କି ଗତ ମାର୍ଚ୍ଚ ମାସରୁ ଭଡ଼ାରେ ଲାଗିଥିବା ଏହି କାର ଜିଲାପାଳ ସରକାରୀ ଭାବେ ବ୍ୟବହାର କରୁଥିବା ଦେଖି ଲୋକେ ବିସ୍ମିତ ହୋଇଥିଲେ। କାରଣ ଏହି କାରର ନମ୍ବର ପ୍ଲେଟ୍‌ ଧଳା ରଙ୍ଗର ଥିଲା। ଧଳା ରହିଲେ ଏହା ଘରୋଇ ଅଥବା ପ୍ରାଇଭେଟ୍‌ ଗାଡି ବୋଲି ଧରାଯିବ। ଏହାକୁ କାର ମାଲିକ ବ୍ୟକ୍ତିଗତ ବ୍ୟବହାରରେ ଲଗାଇବେ। ଭଡ଼ାରେ ଲାଗିବା ଏପରି କି ଜିଲାପାଳ ବ୍ୟବହାର କରିବା କଥାକୁ ଲୋକେ ସହଜେ ଗ୍ରହଣ କରିପାରୁନାହାନ୍ତି। ଅନ୍ୟପକ୍ଷରେ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ପ୍ରତାପ କୁମାର ପଣ୍ଡାଙ୍କୁ କାର ପରମିଟ୍‌ ବାବଦରେ ପଚାରିବାରୁ ସେ କହିଥିଲେ, ନିୟମ ରହିଛି କୌଣସି ପ୍ରାଇଭେଟ୍‌ କାର ଭଡାରେ ଲାଗିଲେ ଅର୍ଥାତ୍‌ ଟ୍ୟାକ୍ସି ଭାବେ ବ୍ୟବହାର ହେଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଏ। ଯେତେଥର ଧରାପଡିବ ସେତେ ଥର ୧୦ ହଜାର ଟଙ୍କା ହିସାବରେ ଜରିମନା ଆଦାୟ ହୁଏ। ଏହି କାର ପାଇଁ ଏକାଧିକ ବାର ପରମିଟ୍‌ର ଆବଶ୍ୟକତା ନାହିଁ। କିନ୍ତୁ ଟ୍ୟାକ୍ସି ପରମିଟ୍‌ ପାଇଲେ ନମ୍ବର ପ୍ଲେଟ୍‌ ହଳଦିଆ ରଙ୍ଗ କରିବାକୁ ବାଧ୍ୟ। ଟ୍ୟାକ୍ସି ପରମିଟ୍‌ ୫ ବର୍ଷ ପାଇଁ ଦିଆଯାଏ। ଏଥିସହ ପ୍ରତିବର୍ଷ ଫିଟନେସ୍‌ ସାର୍ଟିଫିକେଟ୍‌ ହାସଲ କରିବାକୁ ପଡେ ବୋଲି ଆର୍‌ଟିଓ କହିଛନ୍ତି। ଏତେସବୁ ଥିଲେ ସୁଦ୍ଧା ନିଜେ ଜିଲାପାଳ କିପରି ଟ୍ୟାକ୍ସି ପରମିଟ୍‌ ନ ଥିବା ଭଡା କାର ବ୍ୟବହାର କରୁଥିଲେ ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯଦି ଏହା ଟ୍ୟାକ୍ସି ପରମିଟ୍‌ ପାଇଥାଏ ତେବେ ନମ୍ବର ପ୍ଲେଟ୍‌ ରଙ୍ଗ କାହିଁକି ଧଳା ଥିଲା ତାହା ଅନେକଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ତାଙ୍କ ମୋବାଇଲ ଫୋନ୍‌ ଓ ହ୍ବାଟ୍ସଆପ୍‌ ନମ୍ବର ଯୋଗେ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।