ଜିଲାପାଳଙ୍କ ଅଫିସ୍‌ ଫାଟକରେ ତାଲା ପକାଇ ପଳାଇଲେ ଯୁବକ

ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ଜିଲାପାଳଙ୍କ ଅଫିସ୍‌ର ଦୁଇଟିଯାକ ମୁଖ୍ୟ ଫାଟକରେ ଜଣେ ଯୁବକ ଶନିବାର ଅପରାହ୍ନ ୨ଟାରେ ହଠାତ୍‌ ତାଲା ପକାଇଦେଇଥିଲେ। ଲୋକମାନେ ତାହା ଦେଖିଥିଲେ ମଧ୍ୟ କିଛି ବୁଝିବା ପୂର୍ବରୁ ସେ ସେଠାରୁ ପଳାଇଯାଇଥିଲେ। ଲୋକେ ତାଙ୍କୁ ଅଟକାଇ କାରଣ ପଚାରିବାରୁ ଖାରସାହାପୁର ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନ ଥିବାରୁ କାହାରିକୁ ଜିଲାପାଳଙ୍କ ଅଫିସ୍‌ ବାହାରୁ ବାହାରିବାକୁ ଦେବେ ନାହଁି ବୋଲି ପ୍ରକାଶ କରିଥିଲେ। ଲୋକେ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ସେ ନିଜ ସାଇକେଲ ଛାଡ଼ି ଦୌଡ଼ି ପଳାଇଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍‌, ପରିସଂଖ୍ୟାନ, ଟ୍ରେଜେରୀ, ଡିସିପିଓ, ଜରୁରୀକାଳୀନ ଅଫିସ୍‌ ଓ ଦୁଇଟି ଅତିରିକ୍ତ ଜିଲାପାଳଙ୍କ ଅଫିସ୍‌ ସହିତ ପରିବାର ଅଦାଲତର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଉକ୍ତ ଅଫିସଗୁଡ଼ିକୁ ଆସିଥିବା ସାଧାରଣ ଲୋକମାନେ ପ୍ରାୟ ୧ଘଣ୍ଟା ଧରି ଅଟକି ରହିଥିଲେ। ଫାଟକରେ ତାଲା ପଡ଼ିବା ଯୋଗୁ କେହି ବାହାରକୁ ଯାଇପାରି ନ ଥିଲେ। ଉକ୍ତ ସମୟରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମଧ୍ୟାହ୍ନଭୋଜନ ପାଇଁ ବାସଭବନକୁ ଯାଉଥିବା ବେଳେ ଗେଟ୍‌ରେ ତାଲା ପଡ଼ିଥିବା ଦେଖି ସହଦେବଖୁଣ୍ଟା ପୋଲିସକୁ ଖବର ଦେଇଥିଲେ। ସସସ୍ତ ଅଫିସ୍‌ର କର୍ମଚାରୀ ଉଭୟ ଗେଟ୍‌ ନିକଟରେ ପହଞ୍ଚିଥିଲେ। ପରେ ଅତିରିକ୍ତ ଜିଲାପାଳଙ୍କ ପିଅନ ମୁଖ୍ୟ ଫାଟକରେ ତାଲା ଭାଙ୍ଗି ଫାଟକ ଖୋଲିଥିଲେ। ସହଦେବଖୁଣ୍ଟା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ଲୋକେ କହିଛନ୍ତି।