ଜିଲାପାଳଙ୍କୁ ଦାବିପତ୍ର ଦେଲା ଭାଜପା

ବାରିପଦା ଅଫିସ, ୧୩ା୫- ମୟୂରଭଞ୍ଜ ଜିଲାରେ ବର୍ତ୍ତମାନ ଦେଖାଦେଇଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଙ୍ଗଳବାର ଭାଜପାର ଏକ ପ୍ରତିନିଧିମଣ୍ଡଳୀ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ଜିଲା ଏକ ଆଦିବାସୀ ଅଧ୍ୟୂଷିତ ଅଞ୍ଚଳ ହୋଇଥିବା ବେଳେ ପ୍ରାୟ ୮୦ ଭାଗ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି। ଜିଲାର ଅନେକ ଶ୍ରମିକ ନିଜର ଜୀବନ ଜୀବିକା ପାଇଁ ଜିଲା ତଥା ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି। ଦାଦନ ଶ୍ରମିକମାନଙ୍କୁ ପଞ୍ଜୀକରଣ କରାଇ ସରକାରୀ ଭାବେ ଆଣିବା, ରହିବା, ଖାଇବା ଏବଂ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ଜିଲାରେ କୌଣସି ବ୍ୟବସ୍ଥା ନାହିଁ। ଫଳରେ ଶ୍ରମିକମାନେ ଲୁଚି ପଳାଇ ଆସି ଘରେ ସଙ୍ଗରୋଧରେ ରହୁଛନ୍ତି। ଏହା ଦ୍ୱାରା ଗ୍ରାମାଞ୍ଚଳର ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହୁଥିବା ନେଇ ଭାଜପା ଅଭିଯୋଗ ଆଣିଛି। ଯେଉଁ ଶ୍ରମିକମାନଙ୍କୁ ଗାଁରେ ପୂରାଇ ଦିଆଯାଉ ନାହିଁ ସେମାନେ ଭୋକ ଉପାସରେ ଏବଂ ଗଛ ମୂଳେ ଆଦି ବିଭିନ୍ନ ସ୍ଥାନରେ ରହୁଛନ୍ତି। ତେଣୁ ଏହାର ସମାଧାନ ପାଇଁ ଭାଜପା ଦାବି କରିଛି। ବାରିପଦାର ଶ୍ରୀ ଶ୍ରୀ ହରିବଦଳଦେବଜୀଉ ମନ୍ଦିରର ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଭାଜପା ପକ୍ଷରୁ ଦାବି କରାଯାଇଛି। ଜିଲାରେ ମୋଟ ୫୪୯ଟି ଡାକ୍ତର ପଦବୀ ଥିବା ବେଳେ ବର୍ତ୍ତମାନ ମାତ୍ର ୨୨୩ ଜଣ ଅଛନ୍ତି। ସେହିଭଳି ନବ ନିଯୁକ୍ତ ୫୦ ଜଣ ଡାକ୍ତର ବର୍ତ୍ତମାନ ସୁଦ୍ଧା କାର୍ଯ୍ୟରେ ଯୋଗ ଦେଇ ନାହାନ୍ତି। ଫଳରେ ଜିଲାରେ ସ୍ବାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ତେଣୁ ତୁରନ୍ତ ଉକ୍ତ ଡାକ୍ତରଙ୍କ ଯୋଗଦାନ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଭାଜପା ଦାବି କରିଛି। ସେହିଭଳି ମେଡ଼ିକାଲରେ ଶିଶୁ ବଦଳ ଘଟଣାର ଉପଯୁକ୍ତ ତଦନ୍ତ କରାଯିବା ପାଇଁ ମଧ୍ୟ ଭାଜପା ଦାବି କରିଛି। ଭାଜପା ଜିଲା ସଭାପତି କାନ୍ଦ୍ରା ସୋରେନଙ୍କ ନେତୃତ୍ୱରେ ଏହି ପ୍ରତିନିଧିମଣ୍ଡଳୀରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ମହାନ୍ତି, ପୂର୍ବତନ ଜିଲା ସଭାପତି ଡ. କୃଷ୍ଣଚନ୍ଦ୍ର ମହାପାତ୍ର, ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ଡା. ବୁଢ଼ାନ ମୁର୍ମୁ, ବଡ଼ସାହି ବିଧାୟକ ସନାତନ ବିଜୁଳି, ମୟୂରଭଞ୍ଜ ଏମ୍‌ପିଙ୍କ ଜିଲା ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଜିଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।