ଜିଆଇଏସ୍‌ ମ୍ୟାପିଂରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ତଥ୍ୟ

ଭୁବନେଶ୍ୱର,୧୪ା୫(ବ୍ୟୁରୋ): ରାଜ୍ୟରେ ଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟର ଓ କୋଭିଡ୍‌ ହସ୍ପିଟାଲ ବାବଦରେ ଜିଆଇଏସ୍‌ (ଜିଓଗ୍ରାଫିକ୍‌ ଇନଫରମେଶନ ସିଷ୍ଟମ) ମ୍ୟାପିଂ କରାଯାଇଛି। ଅକ୍ଷାଂଶ ଓ ଦ୍ରାଘିମାକୁ ଆଧାର କରି ରାଜ୍ୟ ସରକାର ଏହି ନୂଆ ବ୍ୟବସ୍ଥାକୁ ପ୍ରସ୍ତୁତ କରିଛନ୍ତି। ଓଡ଼ିଶା ସ୍ପେସ ଆପ୍ଲିକେଶନ ସେଣ୍ଟର ମାଧ୍ୟମରେ ପ୍ରସ୍ତୁତ କରାଯାଇଥିବା ଏହି ପ୍ରଣାଳୀ ଦ୍ୱାରା ପ୍ରଥମେ ଅସ୍ଥାୟୀ ମେଡିକାଲ ସେଣ୍ଟରକୁ ମ୍ୟାପିଂ କରାଯାଇଛି। ଗୁରୁବାରଠାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନଲାଇନ ମାଧ୍ୟମରେ ଏହି ମ୍ୟାପିଂ ବ୍ୟବସ୍ଥାକୁ ସମସ୍ତେ ଦେଖିପାରିବେ ବୋଲି ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମନୋଜ ମିଶ୍ର କହିଛନ୍ତି। ସମଗ୍ର ରାଜ୍ୟରେ କରୋନା ମୁକାବିଲା ପାଇଁ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଣ୍ଟା ଭିଡ଼ିଛି। କୋଭିଡ୍‌ ପଞ୍ଜୀକରଣ ହେଉ ବା କ୍ୱାରାଣ୍ଟାଇନ୍‌ ସେଣ୍ଟର ବାବଦରେ ତଥ୍ୟ ଜାଣିବା ଏହି ବିଭାଗ କିଭଳି କାର୍ଯ୍ୟ କରୁଛି ସେ ବାବଦରେ ସଚିବ ମିଶ୍ର ବୁଧବାର ବିସ୍ତୃତ ତଥ୍ୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତିଦିନ କୋଭିଡ୍‌କୁ ନେଇ ଜନସାଧାରଣଙ୍କୁ ତଥ୍ୟ ଦିଆଯାଉଥିବା ବେଳେ ଉକ୍ତ ଖବରଦାତା ସମ୍ମିଳନୀରେ ସଚିବ ମିଶ୍ର ଉପସ୍ଥିତ ରହି କହିଛନ୍ତି, ରାଜ୍ୟ ଫେରନ୍ତାଙ୍କ ଅଞ୍ଚଳରେ କ୍ୱାରାଣ୍ଟାଇନ ସେଣ୍ଟରର ଅବସ୍ଥା କେମିତି ଅଛି, ସେଗୁଡ଼ିକୁ ଲୋକେ ଏବେ ଦେଖିପାରିବେ। ଏ ନେଇ ସରକାରଙ୍କ ଦ୍ୱାରା ଏବେ ଜିଆଇଏସ୍‌ ମ୍ୟାପିଂ ଆରମ୍ଭ କରାଯାଇଛି। ଏହି ମ୍ୟାପିଂ ବ୍ୟବସ୍ଥା ଅନୁଯାୟୀ ପ୍ରତି ଜିଲାରେ କେତୋଟି ଟିଏମସି (ଅସ୍ଥାୟୀ ମେଡିକାଲ ସେଣ୍ଟର) ରହିଛି ତାହା ପ୍ରଦର୍ଶିତ ହେବ। ପ୍ରତି ଟିଏମ୍‌ସି ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ଜଣେ ପାଇପାରିବ। ଟିଏମ୍‌ସିରେ କେତେ ସଂଖ୍ୟାରେ ବେଡ୍‌ ଅଛି, ନୋଡାଲ ଅଧିକାରୀଙ୍କ ନାମ ସହ ତାଙ୍କ ମୋବାଇଲ ନମ୍ବର ମଧ୍ୟ ଉପଲବ୍ଧ ରହିଛି। ଏହାସହ ସେହି ସେଣ୍ଟରରେ କିଭଳି ବ୍ୟବସ୍ଥା ଅଛି ତାହାର ଫଟୋ ମଧ୍ୟ ଦେଖିପାରିବେ। ଯିଏ ବି ଓଡ଼ିଶା ବାହାରୁ ଆସୁଛନ୍ତି ସେମାନେ ଚାହିଁଲେ ନିଜ ଗାଁ ପାଖରେ କେଉଁଠାରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ବାବଦରେ ଜାଣିପାରିବେ। ସେହିପରି କେବଳ ଅସ୍ଥାୟୀ ମେଡିକାଲ ସେଣ୍ଟର ନୁହେଁ, ରାଜ୍ୟର ସମସ୍ତ କୋଭିଡ ହସ୍ପିଟାଲ ବାବଦରେ ମଧ୍ୟ ଆପଣ ସମସ୍ତ ତଥ୍ୟ ଜାଣିପାରିବେ ବୋଲି ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ମିଶ୍ର କହିଛନ୍ତି।