ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି, ୩ ଶିକ୍ଷକ ଫେରାର

ଛତ୍ରପୁର,୧୧ା୨(ଡି.ଏନ.ଏ)-ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଟିଚର, ଶିକ୍ଷା ସହାୟକମାନଙ୍କ ଶିକ୍ଷାଗତ ଓ ତାଲିମ ପ୍ରମାଣପତ୍ର ଯାଞ୍ଚ କରାଯାଉଛି। ଏହି କ୍ରମରେ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଟିମ୍‌ ଦ୍ୱାରା ସମସ୍ତ ଜୁନିୟର ଟିଚର ଓ ଶିକ୍ଷା ସହାୟକଙ୍କ ପ୍ରମାଣପତ୍ର ଯାଞ୍ଚ ହୋଇଥିଲା। କେତେଜଣଙ୍କ ପ୍ରମାଣପତ୍ର ଉପରେ ସନ୍ଦେହ ହେବାରୁ ତାହାକୁ ବୋର୍ଡକୁ ପଠାଯାଇଥିଲା। ଯାଞ୍ଚ ପରେ ସେଥିମଧ୍ୟରୁ କେତେକ ଜାଲ୍‌ ବୋଲି ଜଣାପଡ଼ିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜଣେ ଶିକ୍ଷକଙ୍କୁ ବହିଷ୍କାର କରାଯାଇଥିବା ବେଳେ ୩ ଜଣଙ୍କ ନାଁରେ ସେମାନଙ୍କ ଅଞ୍ଚଳର ଥାନାରେ ମାମଲା ରୁଜୁ ହୋଇସାରିଛି। ସମ୍ପୃକ୍ତ ୩ ଶିକ୍ଷକଙ୍କୁ ପୋଲିସ ଖୋଜୁଥିବା ଜଣାପଡିଛି।
ଜାଲ ପ୍ରମାଣପତ୍ର ଦେଇଥିବାରୁ ଛତ୍ରପୁର ବ୍ଲକ ପି. ଲକ୍ଷ୍ମୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର କନିଷ୍ଠ ଶିକ୍ଷକ ଜେ. ସୁକାନ୍ତୀ ରେଡ୍ଡୀଙ୍କୁ ଗତ ୨୮ ତାରିଖରେ ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତି ଚାକିରିରୁ ବହିଷ୍କୃତ କରିଥିଲେ। ବହିଷ୍କୃତ ଶିକ୍ଷୟିତ୍ରୀଙ୍କ ନାଁରେ ଚମାଖଣ୍ଡି ଥାନାରେ ଏତଲା ଦିଆଯାଇଛି। ସେ ଫେରାର ଥିବାବେଳେ ପ୍ରମାଣପତ୍ରର ପୁନଃଯାଞ୍ଚ ପାଇଁ ଚମାଖଣ୍ଡି ଥାନା ପୋଲିସ ପକ୍ଷରୁ ସମ୍ପୃକ୍ତ ବୋର୍ଡକୁ ପଠାଯାଇଛିା ୨ ଜଣ ଶିକ୍ଷକ ଅନ୍ୟସ୍ଥାନରେ ନିଯୁକ୍ତି ପାଇଥିବା ଦର୍ଶାଇ ଚାକିରିରୁ ଇସ୍ତଫା ଦେଇଥିଲେ। ତେବେ ସେମାନଙ୍କ ପ୍ରମାଣପତ୍ର ମଧ୍ୟ ଜାଲ୍‌ ଥିବା ଯାଞ୍ଚ ପରେ ଜଣାପଡିଥିଲା। ସମ୍ପୃକ୍ତ ଶିକ୍ଷକମାନଙ୍କ ଇସ୍ତଫାପତ୍ର ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇ ନ ଥିବା ବେଳେ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ବିଭାଗୀୟ ଶୃଙ୍ଖଳାଗତ ପ୍ରୋସିଂଡିଂ ଆରମ୍ଭ ହୋଇଛି। ଏଥିପାଇଁ ଲୋକନାଥପୁର ପ୍ରାଥମିକ ସ୍କୁଲର ଶିକ୍ଷକ ଦିଲି ସାହୁଙ୍କ ନାଁରେ ଛତ୍ରପୁର ଥାନାରେ ଏବଂ ସାନଆର୍ଯ୍ୟପଲ୍ଲୀ ପ୍ରକଳ୍ପ ଉଚ୍ଚପ୍ରାଥମିକ ସ୍କୁଲର
ଶିକ୍ଷକ ସୁନୀତା କରଙ୍କ ନାଁରେ ଆର୍ଯ୍ୟପଲ୍ଲୀ ମେରାଇନ୍‌ ଥାନାରେ ଏତଲା ଦିଆଯାଇଛି। ଏମାନେ ଫେରାର୍‌ ଥିବା ପୋଲିସ ସୂଚନା ଦେଇଛି।