ଜାଲ୍‌ ନିଯୁକ୍ତିପତ୍ରରେ ଚାକିରି, ଯୁବକ ଗିରଫ

ବେତନଟୀ,୩୧ା୭(ଡି.ଏନ୍‌.ଏ.)-ମୟୂରଭଞ୍ଜ ଜିଲା ବୈଶିଙ୍ଗା ଆଞ୍ଚଳିକ ଡାକ୍ତରଖାନାରେ ଜାଲ୍‌ ନିଯୁକ୍ତିପତ୍ର ଦେଇ ପୁରୁଷ ସ୍ବାସ୍ଥ୍ୟକର୍ମୀ ଭାବେ ଚାକିରି କରିଥିବା ଜଣେ ଯୁବକଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ବାଲେଶ୍ୱର ଟାଉନ ଥାନା ଅଧୀନ ସୁନହଟ ନିକଟ ବଡଖୁଆ ଗ୍ରାମର କୁରବାନ ମହମ୍ମଦ (୩୮) ବୋଲି ବୈଶିଙ୍ଗା ଥାନା ଆଇଆଇସି କୃଷ୍ଣଚନ୍ଦ୍ର ପଲେଇ କହିଛନ୍ତି। ଗତ ୨୫ ତାରିଖରେ କୁରବାନ ଏକ ନିଯୁକ୍ତିପତ୍ର ଧରି ବୈଶିଙ୍ଗା ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତପନ ବେହେରାଙ୍କୁ ସାକ୍ଷାତ କରି ସେ ଚାକିରିରେ ଯୋଗ ଦେଇଥିଲେ। ମଙ୍ଗଳବାର ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ବିଶ୍ୱ ରଞ୍ଜନ ଦାସଙ୍କ ନିକଟରେ ପହଞ୍ଚି ସେ ନିଯୁକ୍ତିପତ୍ର ଦେଖାଇବା ପରେ ଏହା ଜାଲ୍‌ ବୋଲି ଜଣାପଡିଥିଲା। ଏଥିନେଇ ଡା.ଦାସ ବୈଶିଙ୍ଗା ଥାନାରେ ଅଭିଯୋଗ କରିବାରୁ ପୋଲିସ କୁରବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିନେଇ ଥାନାରେ ଏକ ମାମଲା(ନଂ.୧୩୯/୧୯) ରୁଜୁ ହୋଇଛି। ଏହି ଜାଲ ନିଯୁକ୍ତିପତ୍ର ସେ କେଉଁଠୁ ଆଣିଲେ ଓ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ଅଛି ଏନେଇ ପୋଲିସ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି କହିଛନ୍ତି।