ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇଥିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିଲେ ଏଣିକି ଛାତ୍ରୀଛାତ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ୨୦୧୯-୨୦, ୨୦୨୦-୨୧, ୨୦୨୧-୨୨ ଶିକ୍ଷାବର୍ଷରେ ବିଭିନ୍ନ ଉଚ୍ଚଶିକ୍ଷା ଅନୁଷ୍ଠାନରେ ନାମ ଲେଖାଇଥିବା ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ପ୍ରମାଣପତ୍ରର ପୁନଃ ଯାଞ୍ଚ କରାଯିବ। ଜାଲ୍‌ ବୋଲି ପ୍ରମାଣିତ ହେଲେ ତୁରନ୍ତ ସେମାନଙ୍କ ଆଡ୍‌୍‌ମିଶନ୍‌ ରଦ୍ଦ କରିଦିଆଯିବ। ଏହାସହ ସ୍ଥାନୀୟ ଥାନାରେ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ। ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ନାମଲେଖା ହୋଇଥିବା ତଦନ୍ତରୁ ଜଣାପଡିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ସୋମବାର ବିଭାଗୀୟ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଏ ନେଇ ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ/ବେସରକାରୀ/ସେଲ୍‌ଫ ଫାଇନାନ୍ସିଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି। ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି, ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଭଦ୍ରକ କଲେଜରେ କେତେଜଣ ଛାତ୍ର ନାମ ଲେଖାଇଥିବା ଘଟଣା ବିଭାଗର ନଜରକୁ ଆସିଛି। ଏହି ବିଷୟ ନେଇ ଏବେ ତଦନ୍ତ ଚାଲିଛି। ତଦନ୍ତ ପରେ ସମ୍ପୃକ୍ତ ଛାତ୍ରୀଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ଅନ୍ୟ କୌଣସି ସ୍ଥାନରେ ଏପରି ଜାଲିଆତି ସମ୍ପର୍କରେ ଜାଣିବା ଲାଗି ଦିବ୍ୟାଙ୍ଗ ପ୍ରମାଣପତ୍ରର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଜିଲାର ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ)ଙ୍କ ଜରିଆରେ ଏସବୁ ଯାଞ୍ଚ କରାଯିବ। ଜାଲ୍‌ ଜଣାପଡିଲେ ସମ୍ପୃକ୍ତ ବିଦ୍ୟାର୍ଥୀଙ୍କ ନାମଲେଖାକୁ ରଦ୍ଦ ପାଇଁ ଉପଯୁକ୍ତ ପଦକ୍ଷେପ ନିଆଯିବ। ଏପରିକି ଜାଲିଆତି କରିଥିବା ବିଦ୍ୟାର୍ଥୀଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି।
ସୂଚନାଯୋଗ୍ୟ, ଭଦ୍ରକ କଲେଜରେ ଜାଲ୍‌ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ନାମ ଲେଖାଇଥିବା ନେଇ ଅଭିଯୋଗ ଉଠିଥିଲା। ୮୦ ପ୍ରତିଶତ ମାର୍କ ରଖି ପିଲା ବାଦ୍‌ ପଡିଥିବାବେଳେ ୪୦ ପ୍ରତିଶତ ମାର୍କ ରଖିଥିବା ପିଲା କଲେଜରେ ନାମ ଲେଖାଇଥିବା ଜଣାପଡିଥିଲା। ଏହାର ପ୍ରତିବାଦରେ ଏବିଭିପି ଆନ୍ଦୋଳନକୁ ଓହ୍ଲାଇବା ସହ ଭଦ୍ରକ କଲେଜ ନାମଲେଖା କେଳେଙ୍କାରୀ ମାମଲାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ଏପରିକି ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୨ ଶହରୁ ଅଧିକ ପିଲା ଏଭଳି ଜାଲ୍‌ ସାର୍ଟିଫିକେଟ୍‌ ଦେଖାଇ ଭଦ୍ରକ କଲେଜରେ ଆଡ୍‌ମିଶନ କରିଥିବା ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ ଆଣିଥିଲେ। ଯେଉଁମାନେ ଏଭଳି ମିଥ୍ୟା ସାର୍ଟିଫିକେଟ୍‌ ଦେଇଛନ୍ତି ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଥିଲା।