ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେବା ଘଟଣା: କମ୍ପ୍ୟୁଟର ସେଣ୍ଟର ସିଲ୍‌, ମାଲିକ ଅଟକ

ବେଗୁନିଆପଡ଼ା,୮ା୧(ଡି.ଏନ.ଏ.): ଜଣେ ବ୍ୟକ୍ତିଙ୍କ ଚାକିରି ନିମନ୍ତେ ଜାଲ୍‌ ଜାତିଗତ ପ୍ରମାଣପତ୍ର ପ୍ରସ୍ତୁତ କରିଥିବା କମ୍ପ୍ୟୁଟର ସେଣ୍ଟର ମାଲିକଙ୍କୁ ମଙ୍ଗଳବାରଠାରୁ ଅଟକ ରଖାଯାଇଛି। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ବେଗୁନିଆପଡ଼ା ବଜାର ଉପରେ ଥିବା ଉକ୍ତ କମ୍ପ୍ୟୁଟର ସେଣ୍ଟରକୁ ସିଜ୍‌ କରିଛନ୍ତି। ବେଗୁନିଆପଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ସେନା ବିଭାଗରେ ଚାକିରି ନିମନ୍ତେ ଜାତିଗତ ପ୍ରମାଣପତ୍ର ଶୀଘ୍ର ଦରକାର ପଡ଼ିବାରୁ ସେ ଉକ୍ତ କମ୍ପ୍ୟୁଟର ସେଣ୍ଟରକୁ ଆସିଥିଲେ। ତେବେ ତାଙ୍କୁ ସେଠାରେ ଜାଲ ପ୍ରମାଣପତ୍ର ଦିଆଯାଇ ଚାକିରି ପାଇବା ପରେ ଅସଲି ପ୍ରମାଣପତ୍ର ନେବାକୁ କୁହାଯାଇଥିଲା। ବ୍ୟକ୍ତି ଜଣକ ଉକ୍ତ ଜାଲ୍‌ ପ୍ରମାଣପତ୍ର ଚାକିରି କ୍ଷେତ୍ରରେ ଦେଇଥିଲେ। ସେନା ବିଭାଗ ପକ୍ଷରୁ ତଦନ୍ତ ପାଇଁ କୋଦଳା ତହସିଲକୁ ଆସିବା ପରେ ସେଠାରୁ ଏଭଳି କୌଣସି ପ୍ରମାଣପତ୍ର ଦିଆଯାଇ ନ ଥିବା ଜଣାପଡ଼ିବାରୁ ସମ୍ପୃକ୍ତ ବ୍ୟକ୍ତି ଚାକିରି ହରାଇଥିଲେ। ଏ ନେଇ ତାଙ୍କ ମା’ କୋଦଳା ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ତହସିଲଦାର ପରିଡା ଓ ଅତିରିକ୍ତ ତହସିଲଦାର ଉକ୍ତ କମ୍ପ୍ୟୁଟର କେନ୍ଦ୍ରକୁ ଆସି ତଦନ୍ତ କରିବା ପରେ ତାହାକୁ ସିଜ୍‌ କରିବା ସହ ମାଲିକଙ୍କୁ ବେଗୁନିଆପଡା ଫାଣ୍ଡି ଜିମା ଦେଇଛନ୍ତି।