ଜାତୀୟ ରାଜପଥ ପୋଲ ପଥଚାରୀଙ୍କ ପାଇଁ ପାଲଟିଛି ମରଣଯନ୍ତା

ଚଣ୍ଡିଖୋଲ,୮ା୮(ଡି.ଏନ.ଏ): ଜାତୀୟ ରାଜପଥରେ କେନ୍ଦ୍ର ସରକାର ଟୋଲ ଗେଟ ସ୍ଥାପନ କରି ରାଜପଥ ପାଇଁ ଟୋଲ ଟିକସ ଆଦାୟ କରୁଥିଲାବେଳେ ଏହାର ମରାମତି ପାଇଁ ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହୋଇଛି। ଯେଉଁଥି ପାଇଁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳିଛି। ବିପଦସଙ୍କୁଳ ଅବସ୍ଥାରେ ଥିବା ୫ନଂ (କ) ଜାତୀୟ ରାଜପଥ ଉପରେ ଥିବା ପୋଲଗୁଡ଼ିକ ପଥଚାରୀଙ୍କ ପାଇଁ ବିପଦ ସୃଷ୍ଟି କରିଛି। ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥର ବିରୂପା ନଦୀର ନାନପୁରଠାରେ ହୋଇଥିବା ସେତୁ ଓ ବଡ଼ ଗେଙ୍ଗୁଟି ନଦୀ ଉପରେ ବେଣାପୁରଠାରେ ହୋଇଥିବା ସେତୁର ପାଦଚଲା ସ୍ଲାବଗୁଡ଼ିକ ଗଳି ପଡ଼ିଥବାରୁ ଯାତାୟାତରେ ଅସୁବିଧା ସୃଷ୍ଟି କରୁଛି। ପୂର୍ବରୁ ନାନପୁରଠାରେ ଥିବା ଏହି ପୋଲ ମଧ୍ୟରେ ଖସିପଡ଼ି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଥିଲେ। ଗତ କିଛିଦିନ ଧରି ଲୁହା ପଥର ବୋଝେଇ ଟ୍ରକଗୁଡ଼ିକ ଅଟକି ରହିବା ଯୋଗୁ ସମସ୍ୟା ଜଟିଳ ହୋଇଛି। କେନ୍ଦୁଝର ଅଞ୍ଚଳରୁ ପାରାଦୀପ ଅଭିମୁଖେ ଲୁହାପଥର ବୋଝେଇ କରି ଟ୍ରକଗୁଡ଼ିକ ଯାଉଥିଲାବେଳେ ପାରାଦୀପଠାରେ ଟ୍ରକରୁ ମାଲ୍‌ ଖଲାସ ହୋଇପାରୁ ନ ଥିବାରୁ ସମ୍ପୃକ୍ତ ଟ୍ରକଗୁଡ଼ିକ ପାରାଦୀପରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଳମ୍ବା ଧାଡ଼ି କରି ଠିଆ ହେଉଛନ୍ତି। ଯେଉଥି ପାଇଁ ଚାରି ଲାଇନ ବିଶିଷ୍ଟ ଏହି ୫ନଂ(କ) ଜାତୀୟ ରାଜପଥର ବାମପାର୍ଶ୍ୱ ୨ ଲେନ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଏହି ଦୁଇ ଲେନ ରାସ୍ତା ମଧ୍ୟରେ ବିପଦପୂର୍ଣ୍ଣ ଅବସ୍ଥାରେ ଉକ୍ତ ଦୁଇଟି ସେତୁ ରହିଛି। ପଥଚାରୀମାନେ ସେତୁର ପାଦଚଲା (ଫୁଟପାଥ) ରାସ୍ତାରେ ଯାତାୟାତ କରୁଛନ୍ତି। ତେବେ ପାଦଚଲା ରାସ୍ତାରୁ ସ୍ଲାବଗୁଡ଼ିକ ଖସି ପଡ଼ିଥିଲାବେଳେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ ଦୃଷ୍ଟି ଦେଇନାହାନ୍ତି। ଆଗାମୀ ଦିନରେ କୌଣସି ଅଘଟଣ ଘଟିଯାଇପାରେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିବା ସହିତ ଏହାର ମରାମତି ପାଇଁ ଦାବି କରିଛନ୍ତି। ତେବେ ସମ୍ପୃକ୍ତ ଜାତୀୟ ରାଜପଥର ମରାମତି ଦାୟିତ୍ୱ ଏକ ଠିକା କମ୍ପାନୀ ନେଇଥିଲାବେଳେ ସେମାନେ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି। ସରକାରୀ ନିୟମ ଅନୁଯାୟୀ ଜାତୀୟ ରାଜପଥର କୌଣସିଠାରେ ଖାଲଖମା ସୃଷ୍ଟି ହେଲେ କିମ୍ବା ପୋଲ ଭାଙ୍ଗିଗଲେ ଏହା ତୁରନ୍ତ ମରାମତି ହେବାର ନିୟମ ରହିଛି। କିନ୍ତୁ ଦୀର୍ଘଦିନ ହେବ ପାଦଚଲା ରାସ୍ତାର ସ୍ଲାବଗୁଡ଼ିକ ଗଳି ପଡ଼ିଥିଲାବେଳେ ଏହା ଅଦ୍ୟାବଧି ମରାମତି ହୋଇପାରୁନି। ଏ ସମ୍ପର୍କରେ ଜାତୀୟ ରାଜପଥ ପ୍ରାଧିକରଣ ମୁଖ୍ୟ ଯନ୍ତ୍ରୀ ପୂଜା ମିଶ୍ରଙ୍କୁ ପଚାରିବାରେ, ଏହା ତୁରନ୍ତ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି।