ଜାତୀୟ କିକ୍‌ ବକ୍ସିଂରେ ଚମକିଲେ ଢେଙ୍କାନାଳର କ୍ରୀଡ଼ାବିତ୍‌

ଢେଙ୍କାନାଳ ଅଫିସ, ୩୦ା୭ ହରିୟାଣାର ରୋହତକରେ ଆୟୋଜିତ ଜାତୀୟ ସିନିୟର କିକ୍‌ ବକ୍ସିଂ ପ୍ରତିଯୋଗିତାରେ ଚମକିଛନ୍ତି ଢେଙ୍କାନାଳର କ୍ରୀଡ଼ାବିତ୍‌। ଏଥିରେ ଭାଗ ନେଇଥିବା ଖ୍ୟାତନାମା ମହିଳା କିକ୍‌ବକ୍ସର କୀର୍ତ୍ତିରାଣୀ ସାହୁ ୩ଟି ସ୍ବର୍ଣ୍ଣପଦକ ହାସଲ କରି ଜିଲାର ଗୌରବ ବଢ଼ାଇଛନ୍ତି। ସେହିପରି ମିହିର କୁମାର ସାହୁ ୨ ଏବଂ ଦେବବ୍ରତ ରାଉଳ ଗୋଟିଏ ରୌପ୍ୟ ପଦକ ହାତେଇବାରେ ସଫଳ ହୋଇଛନ୍ତି। ପ୍ରତିଯୋଗିତାରେ ମାନସରଞ୍ଜନ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ପଦକ ହାସଲ କରିପାରିନାହାନ୍ତି।
ପଦକଧାରୀ କ୍ରୀଡ଼ାବିତ୍‌ମାନେ ସୋମବାର ମଧ୍ୟାହ୍ନରେ ଜିଲା କାର୍ଯ୍ୟାଳୟରେ ଜିଲା କ୍ରୀଡ଼ା ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ଭେଟିଥିଲେ। ଏହି ସଫଳତା ପାଇଁ କ୍ରୀଡ଼ା ଅଧିକାରୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।
କୀର୍ତ୍ତିରାଣୀ, ମିହିର, ଦେବବ୍ରତ ଏବଂ ମାନସରଞ୍ଜନ ଢେଙ୍କାନାଳ ଡାଇମଣ୍ଡ କିକ୍‌ ବକ୍ସିଂ ଆସୋସିଏଶନର ସଦସ୍ୟ ଅଛନ୍ତି। କୋଚ୍‌ କୃଷ୍ଣଚନ୍ଦ୍ର ଡାକୁଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତେ ପ୍ରଶିକ୍ଷଣ ନେଉଛନ୍ତି। ଆଗାମୀ ଦିନରେ ଜିଲାରେ କିକ୍‌ବକ୍ସିଂର ବ୍ୟାପକ ପ୍ରଚାର ପ୍ରସାର କରାଯିବ। ଏଥିଲାଗି କ୍ରୀଡ଼ାବିତ୍‌ମାନେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଉକ୍ତ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ୧୭ଜଣ ଖେଳାଳି ଏବଂ ୭ଜଣ ରେଫରି ଭାଗ ନେଇଥିଲେ। ଓଡ଼ିଶାର ପ୍ରତିଯୋଗୀମାନେ ୭ ସ୍ବର୍ଣ୍ଣ, ୭ ରୌପ୍ୟ ଏବଂ ୬ ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି।