Categories: ରାଜ୍ୟ

ଜାତୀୟସ୍ତରରେ ଓଡ଼ିଶା ସ୍ବୟଂ ସହାୟକ ଗୋଷ୍ଠୀ ପୁରସ୍କୃତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ଓଡ଼ିଶାର ମତ୍ସ୍ୟ ଉତ୍ପାଦକ ସ୍ବୟଂ ସହାୟକ ଗୋଷ୍ଠୀ। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ଗଞ୍ଜାମ ଜିଲା ସାନଖେମୁଣ୍ଡିର ମା’ ବେହେରା ପାତ୍ର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମବାୟ ସମିତି ଜାତୀୟ ସ୍ତରରେ ଓଡ଼ିଶାର ଶ୍ରେଷ୍ଠ ମତ୍ସ୍ୟ ଉତ୍ପାଦନକାରୀ ଗୋଷ୍ଠୀ ଭାବେ ପୁରସ୍କୃତ ହୋଇଛି। ଉନ୍ନତ ପ୍ରଣାଳୀରେ ମାଛ ଉତ୍ପାଦନ କରି ସଫଳତା ହାସଲ କରିଥିବାରୁ ମା’ ବେହେରା ପାତ୍ର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମବାୟ ସମିତିକୁ ଜାତୀୟ ସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୧ରେ ଗଠିତ ଏହି ସ୍ବୟଂ ସହାୟକ ଗୋଷ୍ଠୀରେ ବର୍ତ୍ତମାନ ୬୪ ଜଣ ସଦସ୍ୟ ଥିବାବେଳେ ଏମାନେ ବାର୍ଷିକ ୧,୨୦,୦୦୦ କିଲୋଗ୍ରାମ ମାଛ ଉତ୍ପାଦନ କରିଥାନ୍ତି। ଉତ୍ପାଦିତ ମାଛକୁ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ଅନ୍ୟ ଜିଲାକୁ ମଧ୍ୟ ବିକ୍ରି ପାଇଁ ପଠାଇଥାନ୍ତି। ମତ୍ସ୍ୟ ଚାଷରୁ ସମିତିର ପ୍ରତି ସଦସ୍ୟ ମାସକୁ ପ୍ରାୟ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଆର୍ଥିକ ଲାଭବାନ ହୋଇଥିବା ସାନଖେମୁଣ୍ଡିର ଏହି ମହିଳା ମତ୍ସ୍ୟ ଉତ୍ପାଦକ ଗୋଷ୍ଠୀ ଏବେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଆର୍ଥିକ ବିକାଶ ଦିଗରେ ପ୍ରେରଣା ପାଲଟିଛନ୍ତି। ସୂଚନାଯୋଗ୍ୟ, ୨୦୦୧ରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଏବେ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରାୟ ୭୦ ଲକ୍ଷ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି।