ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ବିବୁଧେନ୍ଦ୍ରଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୧୨ା୩: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଘନିଷ୍ଠ ସହଯୋଗୀ, କ୍ରାନ୍ତିକାରୀ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିବୁଧେନ୍ଦ୍ର ମିଶ୍ରଙ୍କ ପ୍ରତିମୂର୍ତ୍ତି ବାରବାଟୀ ଷ୍ଟାଡିୟମସ୍ଥିତ ବିବୁଧେନ୍ଦ୍ର ମାର୍ଗଠାରେ ବୁଧବାର ଲୋକାର୍ପିତ କରାଯାଇଛି। ସ୍ବର୍ଗତ ମିଶ୍ରଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ କଟକ ମହାନଗର ନିଗମ(ସିଏମ୍‌ସି) ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଉକ୍ତ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରାଯାଇଛି। ପ୍ରତିମୂର୍ତ୍ତିଟି ୭ ଫୁଟ ଉଚ୍ଚତା ବିଶିଷ୍ଟ। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଏହାକୁ ଲୋକାର୍ପିତ କରିଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ, କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲ, ଜିଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିବୁଧେନ୍ଦ୍ର ମିଶ୍ର ଟ୍ରଷ୍ଟର ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ, ବିନୋଦ କୁମାର ପଟ୍ଟନାୟକ, ହାଇକୋର୍ଟ ବାର ଆସୋସିଏଶନ ସଭାପତି ଗୋପାଳକୃଷ୍ଣ ମହାନ୍ତି, ସମ୍ପାଦକ ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।