ଜାଣିବା କଥାରୁ କିଛି

ଡ. ଶରତ ଚନ୍ଦ୍ର ରଥ
ଜ୍ଞାନର ଦିଗ୍‌ବଳୟ ଅତ୍ୟନ୍ତ ପ୍ରଶସ୍ତ। ଯେତେ ଜାଣିଲେ ବି ଜାଣିବା ସରେ ନାହିଁ। ତେଣୁ ତ କୁହାଯାଇଛି ସତ୍ୟଂ ଜ୍ଞାନମନନ୍ତମ୍‌। ଜାଣିବାର ଇଚ୍ଛା ହେଉଛି ଜିଜ୍ଞାସା। ଯାହାର ଜିଜ୍ଞାସା ଯେତେ ଅଧିକ ତା’ର ଜୀବନ ଜିଇବା ସେତେ ସାର୍ଥକ। ପ୍ରାଣୀ ଓ ମଣିଷ ଜୀବନ ଭିତରେ କେତେକ ମୌଳିକ ପାର୍ଥକ୍ୟ ଭିତରୁ ଜିଜ୍ଞାସା ଗୋଟିଏ। ରାଜନୀତିଠାରୁ ଅର୍ଥନୀତି ପର୍ଯ୍ୟନ୍ତ, ସମାଜ ନୀତିଠାରୁ ସଂସ୍କୃତି ପର୍ଯ୍ୟନ୍ତ, ବିଜ୍ଞାନଠାରୁ ଦର୍ଶନ ପର୍ଯ୍ୟନ୍ତ ସବୁ କିଛି ସମ୍ବନ୍ଧରେ ଜ୍ଞାନ ହିଁ ଜାଣିବାର ଅନ୍ତର୍ଭୁକ୍ତ। ଜାଣିବା ହିଁ ଜିଣିବାର ମୂଳମନ୍ତ୍ର ଓ ପ୍ରଧାନ ଅସ୍ତ୍ର। ବାଟ ଜାଣି ଚାଲିବା ହିଁ ଯଥାର୍ଥ ଚାଲିବା, ଦର ଜାଣି କିଣିବା ହିଁ ଯଥାର୍ଥ କିଣିବା, ଅର୍ଥ ବୁଝି ଶୁଣିବା ଯଥାର୍ଥ ଶୁଣିବା ଏବଂ ଭାବିଚିନ୍ତି କହିବା ହିଁ ଯଥାର୍ଥ କହିବା।
ଦୈନନ୍ଦିନ ଜୀବନରେ ଚଳିବା ପାଇଁ କେତେ କଥା ଜାଣିବା ଦରକାର। ଚାଣକ୍ୟ କହିଛନ୍ତି- ”ପୁସ୍ତକସ୍ଥା ତୁ ଯା ବିଦ୍ୟା ପରହସ୍ତଗତଂ ଧନମ୍‌। କାର୍ଯ୍ୟକାଳେ ସମୁତ୍ପନ୍ନେ ନ ସା ବିଦ୍ୟା ନ ତଦ୍ଧନମ୍‌।ା“ ଅର୍ଥାତ୍‌ ଯେଉଁ ବିଦ୍ୟା ପୁସ୍ତକରେ ଅଛି, ଯେଉଁ ଧନ ଅନ୍ୟ ହାତରେ ଅଛି, ଆବଶ୍ୟକ ବେଳେ ସେଗୁଡ଼ିକ କାମ ଦିଅନ୍ତି ନାହିଁ। ମଣିଷକୁ ଚିହ୍ନିବା ପାଇଁ କେତେକ ମାନଦଣ୍ଡ ରହିଛି। ସେଥିରୁ ଗୋଟିଏ ଏହିପରି- ଅଧମା ଧନମିଚ୍ଛନ୍ତି ଧନମାନୌ ଚ ମଧ୍ୟମାଃ। ଉତ୍ତମା ମାନମିଚ୍ଛନ୍ତି ମାନୋ ହି ମହତାଂ ଧନମ୍‌।ା ଅର୍ଥାତ୍‌ ଅଧମ ଲୋକମାନେ ଧନ ଇଚ୍ଛା କରନ୍ତି, ମଧ୍ୟମ ଶ୍ରେଣୀର ଲୋକମାନେ ଧନ ଓ ମାନ ଉଭୟ ଇଚ୍ଛା କରନ୍ତି, ଉତ୍ତମ ଶ୍ରେଣୀର ଲୋକମାନେ କେବଳ ମାନ ଇଚ୍ଛା କରନ୍ତି। ଜୀବନକୁ ଧନର ମାପରେ ସେମାନେ ମାପିଥାନ୍ତି। ମାତ୍ର ଉତ୍ତମ ଶ୍ରେଣୀର ଲୋକମାନେ ମାନମର୍ଯ୍ୟାଦା, ମହତ୍‌ପଣିଆ, ମଣିଷପଣିଆ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି। ସେମାନେ ବୁଝିଥାନ୍ତି – ଥିଲେ ଥାଉ ପଛେ ଧନ ହଜାର, ଚରିତ୍ର ନ ଥିଲେ ସବୁ ଅସାର। ମଣିଷ ଚିହ୍ନିବା ପାଇଁ ଆଉ ଏକ ମାନଦଣ୍ଡ ଅଛି। ତାହା ହେଉଛି ସେମାନଙ୍କ ବ୍ୟବହାର। କୁହାଯାଇଛି ଧୂର୍ତ୍ତ ଲୋକଙ୍କୁ ଚିହ୍ନିବାକୁ ଥିବା ତିନିଗୋଟି ଲକ୍ଷଣ ଏହିପରି, ଯଥା- ”ମୁଖଂ ପଦ୍ମଦଳାକାରଂ ବାଣୀ ଚନ୍ଦନଶୀତଳା। ହୃଦୟଂ କର୍ତ୍ତରୀତୁଲ୍ୟଂ ତ୍ରିବିଧଂ ଧୂର୍ତ୍ତ ଲକ୍ଷଣମ୍‌।“ ଅର୍ଥାତ୍‌ ମୁଖ ପଦ୍ମପାଖୁଡ଼ା ପରି ସୁନ୍ଦର, କଥା ଚନ୍ଦନ ପରି ଶୀତଳ ମାତ୍ର ହୃଦୟ କର୍ତ୍ତରୀ (କତୁରୀ) ପରି ଶାଣିତ- ଏ ତିନିଗୋଟି ଧୂର୍ତ୍ତର ଲକ୍ଷଣ।
ମଣିଷ ଚିହ୍ନିବା ପାଇଁ ଆଉ ଏକ ମାନଦଣ୍ଡ ଅଛି। ତାହା ହେଉଛି କୃତଜ୍ଞତା। ଯିଏ ଅନ୍ୟଠାରୁ ଉପକାର ପାଇଲେ କୃତଜ୍ଞତା ପ୍ରକାଶ କରେ ସେ ଉତ୍ତମ ମଣିଷ। ଯିଏ କୃତଜ୍ଞତା ଲେଶମାତ୍ର ପ୍ରକାଶ ନ କରେ ସେ ହେଉଛି ଅଧମ ମଣିଷ। କଥା କହିବା ଏକ କଳା। ସମସ୍ତେ କଥା କହି ଜାଣନ୍ତି ନାହିଁ। କହୁ କହୁ କେତେ କ’ଣ କହିଯାନ୍ତି, ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି। ମୁଖର ଲୋକଙ୍କ ତୁଣ୍ଡରେ ବାଡ଼ବତା ନ ଥାଏ। ସେମାନେ ଅପ୍ରିୟ ହୋଇ ରହିବାକୁ ବାଧ୍ୟ ହୁଅନ୍ତି। ମୌନତା ସର୍ବଦା ଉନ୍ନତିର କାରକ। ମୌନତା କହିଲେ ମୂକତ୍ୱ ନୁହେଁ ଆବଶ୍ୟକତା ଅନୁସାରେ ଯେତିକି ଓ ଯେମିତି ଦରକାର ସେତିକି ଓ ସେମିତି କଥା କହିବା। ତେଣୁ ତ କୁହାଯାଇଛି- ମୌଖର୍ଯ୍ୟଂ ଲାଘବକରଂ ମୌନଂ ଉନ୍ନତି କାରକମ୍‌। ମୁଖରଂ ନୂପୁରଂ ପାଦେ କଣ୍ଠହାରୋ ବିରାଜତେ।ା ଅର୍ଥାତ୍‌ ମୁଖରତା ହେଉଛି ଅଧୋଗତିର କାରଣ। ମୌନତା ଉନ୍ନତିର କାରଣ। ଶବ୍ଦ କରୁଛିି ବୋଲି ନୂପୁର ପାଦରେ ଅଛି, ଶବ୍ଦ କରୁନାହିଁ ବୋଲି ହାର କଣ୍ଠରେ ରହିଛି। ମୌନତା ହେଉଛି ମୁନିର ଲକ୍ଷଣ। ମୁନି କିଏ ବୋଲି କହିବାକୁ ଯାଇ ଶ୍ରୀମଦ୍‌ ଭଗବଦ୍‌ ଗୀତା କହନ୍ତି- ”ଦୁଃଖେଷ୍ବନୁଦ୍‌ବିଗ୍ନମନାଃ ସୁଖେଷୁ ବିଗତସ୍ପୃହଃ। ବୀତରାଗଭୟକ୍ରୋଧଃ ସ୍ଥିତଧୀର୍ମୁନିରୁଚ୍ୟତେ।ା“ ଅର୍ଥାତ୍‌ ଯିଏ ଦୁଃଖରେ ଭାଙ୍ଗିପଡ଼େ ନାହିଁ ଅଥବା ସୁଖରେ ବୀତସ୍ପୃହ ରହେ, ରାଗ, ଭୟ, କ୍ରୋଧରୁ ମୁକ୍ତ ଥାଏ ସେହି ସ୍ଥିତପ୍ରଜ୍ଞ ବ୍ୟକ୍ତି ହିଁ ମୁନି ପଦବାଚ୍ୟ। ଶାନ୍ତି ଓ ଅଶାନ୍ତିର ବହୁ ଭାଗ ମନ ଉପରେ ନିର୍ଭର କରେ। ମନର ଉଦାରତାରୁ ମିଳେ ଶାନ୍ତି, ମନର ସଂକୀର୍ଣ୍ଣତାକୁ ମିଳେ ଅଶାନ୍ତି। ସ୍ବାମୀ ବିବେକାନନ୍ଦ କହିଛନ୍ତି, ଉଦାରତା ହିଁ ଜୀବନ, ସଂକୀର୍ଣ୍ଣତା ହିଁ ମୃତ୍ୟୁ। ସାହିତ୍ୟରେ କୁହାଯାଇଛି- ଯା’ ମନ ଯେପରି, ତା’ ପାଇଁ ସେପରି ଫଳ ଥୋଇଥାଏ ବିଶ୍ୱ, ଉଚ୍ଚମନା ଉଚ୍ଚେ ଅମୃତ ଲଭଇ ନୀଚମନା ପାଏ ବିଷ। ମଣିଷ ମାତ୍ରକେ ପ୍ରଶଂସାପ୍ରିୟ। ମାତ୍ର ଅତି ପ୍ରଶଂସା ଓ ଅଯାଚିତ ପ୍ରଶଂସା କ୍ଷତିକାରକ। ନ୍ୟାୟଟି ହେଉଛି ଅତି ସର୍ବତ୍ର ଗର୍ହିତମ। ଅଲୋଡ଼ା ଭାବରେ ଆସି କେହି ଅଯଥା ପ୍ରଶଂସା କରିବାକୁ ଆରମ୍ଭ କଲେ ଶୁଣିବା ଲୋକକୁ ସଚେତନ ହେବାକୁ ପଡ଼ିବ। କାରଣ କହୁଥିବା ଲୋକ ଭିତରେ ଫଳାଭିସନ୍ଧି ନିଶ୍ଚୟ ଥିବ। କୁହାଯାଇଛି- ଅନାହୂତ ହୋଇ ଆସି କେହି ତୋର ଅଯଥା ପ୍ରଶଂସା କଲେ, ଜାଣିଥିବୁ ତା’ର ଆଗମନ ତତେ ଠକିବାକୁ କଉଶଳେ।
ଅର୍ଥ ଏକ ଆବଶ୍ୟକ ଶକ୍ତି। ଅର୍ଥ ନୁହେଁ ଅନର୍ଥର କାରଣ। ଅର୍ଥର ଅସଦ୍‌ ମାର୍ଗରେ ଉପାର୍ଜନ ଏବଂ ଅପବ୍ୟବହାର ହିଁ ଅନର୍ଥର କାରଣ। ଅସଦ୍‌ମାର୍ଗରେ ଉପାର୍ଜିତ ଧନରେ କିଛି କିଛି କଳଙ୍କର ଛାପ ଥାଏ, ତାହା ଏମିତି ହଠାତ୍‌ ଜାଣିହୁଏ ନାହିଁ। ମାତ୍ର କ୍ରମଶଃ ସେହି କଳଙ୍କର ପ୍ରଭାବ ବଢ଼ିବାକୁ ଲାଗେ ଏବଂ ବିଭିନ୍ନ ପ୍ରକାରେ ଅଶାନ୍ତିକୁ ନିମନ୍ତ୍ରଣ କରିଆଣେ। ସେ ଧନ ସନ୍ତୋଷ ଦିଏ ନାହିଁ। ତେଣୁ ତ କୁହାଯାଇଛି- ଦୁଃଖେ ଅର୍ଜିତ ଯେତେ ଧନ, ସୁଖେ ତା’ ନୁହେଁ ପ୍ରୟୋଜନ।
ସଂସାର ବାଟ ବଡ଼ ଜଟିଳ, ଜୀବନ ବାଟ ବଡ଼ ପିଚ୍ଛିଳ। ଏ ବାଟରେ ଚାଲିବାକୁ ହେଲେ ବହୁ ସତର୍କତା ଓ ସଚେତନତା ଦରକାର। ଏଥିପାଇଁ ପୂର୍ବପୁରୁଷର ଅଭିଜ୍ଞତା ଏବଂ ଶାସ୍ତ୍ରମାନଙ୍କର ଦିଗ୍‌ଦର୍ଶନ ଆବଶ୍ୟକ।
ମୋ-୯୪୩୭୭୫୬୨୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri