ଜାଗା ଦେବାକୁ ରାଜି ହେଲେନି ବୋଲି: ୨ ଭଉଣୀଙ୍କୁ ମାଡ଼ମାରି ଗଛରେ ବାନ୍ଧିଲେ ଭାଇ

କୁଜଙ୍ଗ,୯ା୧(ଡି.ଏନ.ଏ.): ସମ୍ପତ୍ତି ଲୋଭରେ ୨ ଭାଇ ତାଙ୍କ ମା’ ଓ ଦୁଇ ଭଉଣୀଙ୍କୁ ମାଡ଼ମାରିବା ସହ ଗଛରେ ବାନ୍ଧିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଏକ ମାମଲା ରୁଜୁ କରିବା ସହ ସମ୍ପୃକ୍ତ ୨ ଭାଇଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କୁଜଙ୍ଗ ଥାନା ଅନ୍ତର୍ଗତ ହସିଣା ‘ଖ’ ଗ୍ରାମର ବିଜୟ ତରାଇ ଓ ଗଜେନ୍ଦ୍ର।
ପୋଲିସ ସୂଚନା ଅନୁସାରେ, ବିଜୟ ଏବଂ ଗଜେନ୍ଦ୍ର ସେମାନଙ୍କ ଭଉଣୀମାନଙ୍କ ନାମରେ ଥିବା ସ୍ଥିତିବାନ ଜମିରେ ମଙ୍ଗଳବାର ଜବରଦସ୍ତ ଗୃହ ନିର୍ମାଣ କରିବାକୁ ଉଦ୍ୟମ ଚଳାଇଥିଲେ। ଏହାକୁ ଦୁଇ ଭଉଣୀ ଅନୀମା, ପୁଷ୍ପଲତା ଏବଂ ତାଙ୍କ ମା’ ହାରାମଣୀ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ବିଜୟ ଏବଂ ଗଜେନ୍ଦ୍ର ପ୍ରଥମେ ସେମାନଙ୍କୁ କୋଦାଳ ବେଣ୍ଟରେ ମାଡ଼ ମାରିଥିଲେ। ପରେ ସେମାନଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ମା’ଙ୍କୁ ଘର ଖୁଣ୍ଟ ଏବଂ ଦୁଇ ଭଉଣୀଙ୍କୁ ନଡ଼ିଆ ଗଛରେ ବାନ୍ଧି ଦେଇଥିଲେ। ଦୁଇ ଭଉଣୀ ଏବଂ ମା’ ବିକଳରେ ଚିତ୍କାର କରୁଥିଲେ ମଧ୍ୟ କେହି ସେମାନଙ୍କୁ ସହାୟତା କରିବାକୁ ଆସି ନ ଥିଲେ। ଏକଥା ଜାଣିବା ପରେ ଅନୀମାଙ୍କ ପୁଅ ଯାଇ କୁଜଙ୍ଗ ଥାନାରେ ଜଣାଇଥିଲେ। ତେବେ ପୋଲିସ ଆସିବା ପୂର୍ବରୁ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ଏହାପରେ ଅନୀମା ଯାଇ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଅଭିଯୋଗକ୍ରମେ ଆଇପିସି ଧାରା ୩୪୨, ୨୯୪, ୩୦୭, ୩୫୪(କ), ୫୦୬, ୩୪ରେ ମାମଲା ନଂ- ୬/୨୦ ରୁଜୁ କରି ବିଜୟ ଏବଂ ଗଜେନ୍ଦ୍ରଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ବୁଧବାର ସ୍ଥାନୀୟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ସମାଗୋଳ ଜେଲ ହାଜତକୁ ପଠାଇ ଦିଆଯାଇଛି। କୁଜଙ୍ଗ ଥାନା ଅଧିକାରୀ ଦିଲୀପ ସାହୁ ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ଏସଆଇ ଶୁଭ୍ରଜିତ ଦାସଙ୍କୁ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି।