ଜାଗର ଦୀପରୁ ଲେଡିଜ୍‌ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‌ପି ଛକ ନିକଟ ନୀଳକଣ୍ଠ ନଗରରେ ଥିବା ଶ୍ରୀଜଗନ୍ନାଥ ରେସିଡେନି୍ସ ନାମକ ଏକ ଲେଡିଜ ହଷ୍ଟେଲର ତୃତୀୟ ମହଲାରେ ଶୁକ୍ରବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ଠିକଣା ସମୟରେ ସ୍ଥାନୀୟ ଫାୟାର ଷ୍ଟେଶନ ଅଗ୍ନିଶମ ବାହିନୀର ୩ ଟିମ୍‌ ପହଞ୍ଚି ୩୦ ମିିନିଟର ପରିଶ୍ରମ କରିବା ପରେ ନିଆଁ ସମ୍ପୂର୍ଣ୍ଣ ରୂପେ ଆୟତ୍ତ ହୋଇଥିଲା। ଫଳରେ ଏକ ବଡ ବିପଦ ଟଳିଯାଇଥିଲା। ତେବେ ଅଗ୍ନିକାଣ୍ଡରେ ଅନ୍ତେବାସୀଙ୍କର ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ସାର୍ଟିଫିକେଟ, ବହି, ଆସବାବପତ୍ର ସମେତ ଅନ୍ୟାନ୍ୟ ସାମଗ୍ରୀ ଜଳିଯାଇଛି। ନିଆଁ ଲାଗିବା ଶୁଣି ଅନ୍ତେବାସୀମାନେ ଜୀବନବିକଳରେ ତୃତୀୟ ମହଲାରୁ ତଳକୁ ଦୌଡ଼ି ଆସିବାବେଳେ ୨ଜଣ ଆହତ ହୋଇଛନ୍ତି। ନୂଆପଲ୍ଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଘଟଣାସ୍ଥଳରେ ପହଞ୍ଚି ଘର ମାଲିକ ଶଚୀକାନ୍ତ ଜେନାଙ୍କୁ ପଚରାଉଚରା କରିଛନ୍ତି। ତୃତୀୟ ମହଲାର ଉକ୍ତ ରୁମରେ କେହି ଜାଗର ଦୀପ ଜାଳୁଥିବାବେଳେ ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ କର୍ମଚାରୀ ସୂଚନା ଦେଇଛନ୍ତି।
ନୀଳକଣ୍ଠ ନଗରରେ ଶଚୀକାନ୍ତଙ୍କର ଶ୍ରୀଜଗନ୍ନାଥ ରେସିଡେନ୍ସି ନାମକ ଏକ ୪ ମହଲା ବିଶିଷ୍ଟ କୋଠା ରହିଛି। ଏଠାରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ଭଡ଼ାରେ ରହିଛନ୍ତି। ଛାତ୍ରୀମାନେ ବିଭିନ୍ନ କମ୍ପିଟିଟିଭ ପରୀକ୍ଷା ପାଇଁ କୋଚିଂ ନେଉଥିଲେ। ଶୁକ୍ରବାର ଜାଗର ପାଳିବା ପାଇଁ କେହି ରୁମ୍‌ର ତୃତୀୟ ମହଲାରେ ଦୀପ ଲଗାଇଥିଲେ। ସନ୍ଧ୍ୟା ପ୍ରାୟ ୬ଟା ୪୫ ବେଳକୁ ଉକ୍ତ ଦୀପରୁ ନିଆଁ ବ୍ୟାପି ଛାତ୍ରୀମାନଙ୍କ ପୋଷାକ, ବହି ଏବଂ ଆସବାବପତ୍ର ଜଳିବାକୁ ଆରମ୍ଭ କରିଥିଲା। ଛାତ୍ରୀମାନେ ଜୀବନ ବିକଳରେ ଚିତ୍କାର କରିବା ସହ ତଳକୁ ଦୌଡ଼ି ଥିଲେ। ତୃତୀୟ ମହଲରେ ନିଆଁ ଲାଗିବା ଶୁଣି ଅନ୍ୟମାନେ ମଧ୍ୟ ତଳକୁ ଦାୈଡିଥିଲେ। ସ୍ଥାନୀୟ ଯୁବକମାନେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ୭ଟା ବେଳକୁ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚିଥିଲେ। ଅକ୍ଲାନ୍ତ ପରିଶ୍ରମ କରି ସେମାନେ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ କରିଥିଲେ। ତେବେ ରୁମ୍‌ରେ ଥିବା ବିଭିନ୍ନ ସାର୍ଟିଫିକେଟ୍‌, ବହି, ପୋଷାକ ଏବଂ ଆସବାବପତ୍ର ଆଦି ଜଳି ନଷ୍ଟ ହୋଇଯାଇଥିବାରୁ ଛାତ୍ରୀମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ କେତେଜଣ ଅଭିଭାବକ ପହଞ୍ଚି ନିଜ ପିଲାଙ୍କୁ ବୁଝାଶୁୁଝା କରିବା ସହ ସାଙ୍ଗରେ ଘରକୁ ନେଇଯାଇଥିଲେ। ହଷ୍ଟେଲରେ ଅଗ୍ନିନିର୍ବାପକ ଯନ୍ତ୍ର ନ ଥିବା ଅନ୍ତେବାସୀମାନେ ଅଭିଯୋଗ କରିଥିଲେ।