Posted inଜାତୀୟ

ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ଅଟକାଉଛି କେନ୍ଦ୍ର

ନୂଆଦିଲ୍ଲୀ,୨୨ା୬: ନ୍ୟାୟପାଳିକାର ନିରପେକ୍ଷତା ଲାଗି ଏହାକୁ ରାଜନୈତିକ ପ୍ରଭାବରୁ ମୁକ୍ତରଖାଯିବା ଉଚିତ ବୋଲି ବିଭିନ୍ନ ସମୟରେ ମତପ୍ରକାଶ ପାଇଆସୁଛି। ଏହା ସତ୍ତ୍ୱେ ନ୍ୟାୟପାଳିକା ଯେ ରାଜନୈତିକ ପ୍ରଭାବରୁ ମୁକ୍ତ ନୁହେଁ ଏହା ସରକାରଙ୍କ କେତେକ ନିଷ୍ପତ୍ତିରୁ ସ୍ପଷ୍ଟ ହୋଇଛି। ବିଚାରପତି ନିଯୁକ୍ତି ତଥା ପଦୋନ୍ନତି ପାଇଁ ସୁପ୍ରିମକୋର୍ଟ କଲେଜିୟମ୍‌ଙ୍କ ସୁପାରିସକୁ କେନ୍ଦ୍ର ସରକାର ବାରମ୍ବାର ଫେରାଇଦେବା ତାହାର ଉଦାହରଣ। କଲେଜିୟମ ପକ୍ଷରୁ ୪ ଥର ସୁପାରିସ୍‌ ସତ୍ତ୍ୱେ ଗୁଜରାଟ ହାଇକୋର୍ଟର ପୂର୍ବତନ ବରିଷ୍ଠ ବିଚାରପତି ତଥା ବର୍ତ୍ତମାନ ବମ୍ବେ ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍‌ ଅକିଲ୍‌ ଅବଦୁଲହମିଦ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେଉନାହାନ୍ତି। କେବଳ ଜଷ୍ଟିସ୍‌ କୁରେଶୀ ନୁହନ୍ତି, ଅନ୍ୟ ବିଚାରପତିମାନଙ୍କ ପଦୋନ୍ନତି ସୁପାରିସକୁ ମଧ୍ୟ ଅନେକ ସମୟରେ କେନ୍ଦ୍ର ସରକାର ଅଟକାଉଛନ୍ତି। ଏହା ପଛରେ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ରହୁଥିବା ଜଷ୍ଟିସ୍‌ କୁରେଶୀଙ୍କ ଘଟଣାରୁ ସ୍ପଷ୍ଟ ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ କଲେଜିୟମକୁ କିଭଳି ଗୁରୁତ୍ୱ ମିଳିବ ତାହାର ସୂଚନା ମିଳୁଛି।
ଗୁଜରାଟ ହାଇକୋର୍ଟ ଆଇନଜୀବୀ ସଂଘ (ଜିଏଚସିଏଏ)ର ଅଧ୍ୟକ୍ଷ ଯତୀନ୍‌ ଓଜା ତାଙ୍କର ଏକ ଲେଖାରେ ଉଲ୍ଲେଖ କରିଛନ୍ତି, ସୋହରାବୁଦ୍ଦିନ ମିଥ୍ୟା ଏନ୍‌କାଉଣ୍ଟର ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଅମିତ୍‌ ଶାହଙ୍କୁ ୨୦୧୦ରେ ଜଷ୍ଟିସ୍‌ କୁରେଶୀ ୨ ଦିନ ପାଇଁ ପୋଲିସ ହାଜତକୁ ପଠାଇଥିଲେ। ଜଷ୍ଟିସ୍‌ ଆର୍‌.ଏ. ମେହେଟାଙ୍କୁ ଗୁଜରାଟ ଲୋକାୟୁକ୍ତ ଭାବେ ନିଯୁକ୍ତି ଲାଗି ୨୦୧୧ରେ ତତ୍କାଳୀନ ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଜଷ୍ଟିସ୍‌ କୁରେଶୀ କାଏମ ରଖିଥିଲେ, ଯାହାକୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ। ଶାହଙ୍କୁ ପୋଲିସ ହାଜତକୁ ପଠାଇବାରେ ଜଷ୍ଟିସ୍‌ କୁରେଶୀଙ୍କ ନିଷ୍ପତ୍ତିରେ କିଛି ଭୁଲ୍‌ ନ ଥିଲା ବୋଲି ୨୦୧୦ରେ ତାଙ୍କ ଓକିଲ ଥିବା ଓଜା କହିଛନ୍ତି। ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ସୁପାରିସ ସତ୍ତ୍ୱେ କେନ୍ଦ୍ର ସରକାର ଏହାକୁ ଏଡାଇଯିବା ତାଙ୍କ ପ୍ରତି ଅତ୍ୟାଚାର ବୋଲି ଓଜା ଅଭିଯୋଗ କରିଛନ୍ତି।
ମେ ୧୦ରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ ଏବଂ ଏନ୍‌.ଭି. ରମନାଙ୍କୁ ନେଇ ଗଠିତ କଲେଜିୟମ ଜଷ୍ଟିସ୍‌ କୁରେଶୀଙ୍କ ପଦୋନ୍ନତି ପାଇଁ ସୁପାରିସ କରିଥିଲେ। ତାଙ୍କ ସହିତ ଜଷ୍ଟିସ୍‌ ଭି. ରାମସୁବ୍ରମଣ୍ୟନ ଏବଂ ଆର୍‌.ଏସ୍‌. ଚୌହାନଙ୍କ ପଦୋନ୍ନତି ପାଇଁ ମଧ୍ୟ ସୁପାରିସ କରାଯାଇଥିଲା। ଜଷ୍ଟିସ୍‌ ରାମସୁବ୍ରମଣ୍ୟନ୍‌ ଏବଂ ଜଷ୍ଟିସ୍‌ ଚୌହାନଙ୍କୁ ଯଥାକ୍ରମେ ହିମାଚଳପ୍ରଦେଶ ଓ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ସେହିପରି ହିମାଚଳପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିବା ସୂର୍ଯ୍ୟ କାନ୍ତଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦିଆଯାଇଥିଲା। କିନ୍ତୁ ଜଷ୍ଟିସ୍‌ କୁରେଶୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦିଆ ନ ଯାଇ ଜୁନ୍‌ ୧୦ରୁ ଜଷ୍ଟିସ୍‌ ରବିଶଙ୍କର ଝାଙ୍କୁ ଏହାର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ଦିଆଯାଇଛି।
ଏଠାରେ ପ୍ରଶ୍ନ ଉଠୁଛି, ଯଦି ସରକାର ବାରମ୍ବାର ସୁପାରିସକୁ ଫେରାଇଦିଅନ୍ତି ତେବେ ଏନେଇ କଲେଜିୟମ ନିଜ ନିଷ୍ପତ୍ତିରେ ଅଟଳ ରହି କେନ୍ଦ୍ରକୁ ପ୍ରଶ୍ନ କରିପାରିବ କି? ସିଜେଆଇ ଗୋଗୋଇ ନିକଟରେ ରୁଷିଆର ସୋଚିଠାରେ ସାଂଘାଇ ସହଯୋଗ ସଂଗଠନର ପ୍ରଧାନ ବିଚାରପତିମାନଙ୍କ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ନ୍ୟାୟିକ ଅନୁଷ୍ଠାନର ସ୍ବାଧୀନତା ପାଇଁ ସୁଦୃଢ଼ ଓ ନିରପେକ୍ଷ ବିଚାରପତିଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ବିଚାର ବିଭାଗର ମୁଖ୍ୟ ଭାବେ ସେ ତାଙ୍କ କଥାକୁ କାର୍ଯ୍ୟରେ ପରିଣତ କରିପାରିବେ କି ବୋଲି ପ୍ରଶ୍ନ ଉଠୁଛି। ଲୋକ ସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ସହ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର କେନ୍ଦ୍ରରେ ସରକାର ଗଢ଼ିବା ପରେ ରବିଶଙ୍କର ପ୍ରସାଦ ପୁନର୍ବାର ଆଇନ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଛନ୍ତି। ଆଇନ ମନ୍ତ୍ରଣାଳୟ ଏକ ଡାକଘର ଭଳି କାର୍ଯ୍ୟ କରିବ ନାହିଁ ବୋଲି ସେ ଦାୟିତ୍ୱ ଗ୍ରହଣ ପରେ ସ୍ପଷ୍ଟ କରିଦେଇଥିଲେ। ଅର୍ଥାତ୍‌ ହାଇକୋର୍ଟ ଓ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତି କ୍ଷେତ୍ରରେ କଲେଜିୟମ୍‌ର ସୁପାରିସ ଉପରେ ମନ୍ତ୍ରଣାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାରର ଭୂମିକା ତୁଲାଇବ ବୋଲି ଆଇନମନ୍ତ୍ରୀ ସୂଚାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri