ଜଳ ସମ୍ପଦ, ପିଆର ବିଭାଗରେ ପାଣ୍ଠିର ଅଭାବ:୯ଟି ରାସ୍ତା ଆରଡି ବିଭାଗକୁ ହସ୍ତାନ୍ତର ପ୍ରସ୍ତାବ

ଯାଜପୁର ଅଫିସ,୧୩ା୧: ଜଳ ସମ୍ପଦ ଓ ପଞ୍ଚାୟତିରାଜ(ପିଆର) ବିଭାଗରେ ପାଣ୍ଠିର ଅଭାବ ତଥା ସୀମିତ ଅନୁଦାନ ଯୋଗୁ ସମ୍ପୃକ୍ତ ରାସ୍ତାଗୁଡିକର ଆବଶ୍ୟକ ଉନ୍ନତି ସହ ରକ୍ଷଣାବେକ୍ଷଣ ହୋଇପାରୁ ନାହିଁ। ଏଣୁ ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ଜଳ ସମ୍ପଦ ୧ଟି ଓ ପଞ୍ଚାୟତିରାଜ ବିଭାଗୀୟ ଅଧୀନ ୮ଟି ରାସ୍ତାକୁ ଆରଡି (ଗ୍ରାମ୍ୟ ଉନ୍ନୟନ) ବିଭାଗକୁ ହସ୍ତାନ୍ତର କରିବାକୁ ଦାବି ହୋଇଛି। ଏହି ମର୍ମରେ ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ତାଙ୍କ ପତ୍ରସଂଖ୍ୟା ୧/୨ା୧୦ା୨୦୨୦ରେ ଯାଜପୁର ଜିଲାପାଳଙ୍କୁ ପ୍ରସ୍ତାବ ଦେଇଛନ୍ତି। ଡିଷ୍ଟ୍ରିକ୍ଟ ଏମ୍ପାୱାର କମିଟି(ଡିଇସି) ବୈଠକରେ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଛନ୍ତି। ଏଥିରେ ଜଳ ସମ୍ପଦ ବିଭାଗ ଅଧୀନ ବିଞ୍ଝାରପୁର ବ୍ଲକର ଶାସନପଡାରୁ ମନ୍ଦାରଖଣ୍ଡ, ଚମ୍ପା ୮ କି.ମି. ରାସ୍ତା, ପଞ୍ଚାୟତିରାଜ ବିଭାଗ ଅଧୀନ ବିଞ୍ଝାରପୁର ବ୍ଲକର କନ୍ତିତରରୁ କୁଆଁଲୋ ବେଙ୍ଗ ବ୍ରିଜ ଭାୟା କୁଆଁଲୋ ମଲ୍ଲିକସାହି ୫ କି.ମି. ରାସ୍ତା, ଜରି-ଗଦଗଦି ଭାୟ ମାହାରା ୪ କି.ମି. ରାସ୍ତା, ସିଂହପୁର-ଅନ୍ଧାଲୋ ୫ କି.ମି. ରାସ୍ତା ଓ ଆର ଆଣ୍ଡ ବି ରାସ୍ତା ଅମିତାଭ ବଚନ ଛକରୁ ସୋରଡିହ ୭ କି.ମି. ରାସ୍ତା ଏବଂ ଦଶରଥପୁର ବ୍ଲକର ଏନଏଚ୍‌ରୁ ଆମ୍ବଖିଆ ସାଇମଦ ବିଲା ହରିଜନ ସାହି ୪ କି.ମି. ରାସ୍ତା, ଆର ଆଣ୍ଡ ବି ରାସ୍ତାରୁ ନାଉବାଙ୍କରୁ ଇବ୍ରାହିମପୁର ଭାୟା ନେମରା ୭ କି.ମି. ରାସ୍ତା, ଆର ଆଣ୍ଡ ବି ରାସ୍ତାରୁ ଚଷାଖଣ୍ଡ ପଞ୍ଚାୟତ ଅଫିସ ଭାୟା କହ୍ନେଇ, ପଦିଆ, କାନ୍ତପରି ୬ କି.ମି. ରାସ୍ତା ଓ ଜାଫରପୁରଠାରୁ ଚାଉଲିଆ ୭.୫ କି.ମି. ରାସ୍ତା ରହିଛି। ଉପରୋକ୍ତ ରାସ୍ତାମାନଙ୍କରେ ଆବଶ୍ୟକ ପାଣ୍ଠି ଅଭାବରୁ ସମସ୍ୟାରେ ଗତି କରୁଥିବା ସହ ମରାମତି, ନିର୍ମାଣ ଓ ରକ୍ଷଣାବେକ୍ଷଣ ହୋଇ ପାରୁନାହିଁ ବୋଲି ବିଧାୟିକା ମଲିକ ସୂଚନା ଦେଇଛନ୍ତି। ତେବେ ଏ ସଂକ୍ରାନ୍ତରେ ଜଳ ସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ଆର ଆଣ୍ଡ ବି ଡିଭିଜନ ପାଣିକୋଇଲି, ଆରଡବ୍ଲ୍ୟୁଏସ୍‌ଏସ୍‌ ଡିଭିଜନ ଯାଜପୁର ନିର୍ବାହୀ ଅଧିକାରୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରିଛନ୍ତି।