ଜଳ ପାଲଟିଛି ଜହର

ଗଣ୍ଡତୁରୁମ, ୨୩।୬ (ଡି.ଏନ.ଏ)  ଭେଡେନ ବ୍ଲକ ମହୁଲପାଲି ପଞ୍ଚାୟତର ଟିିହିକିପାଲି ଗ୍ରାମରେ ଦିନକୁ ଦିନ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ରୋଗରେ ପୀଡିତ ହୋଇ ଗ୍ରାମର ଗରୁଡ ବାରିକ (୫୦), ଦାମିନୀ ମେହେର (୬୫), ଲଳିତ ମେହେର (୫୦), ସୁଶାନ୍ତ ଅଦାବର (୪୦), ଟଙ୍କଧର ପଧାନ (୩୮) ପ୍ରମୁଖ ମୃତ୍ୟୁବରଣ କରିଛନ୍ତି। ସେହିପରି ରଙ୍କମଣି ଅଦାବର, ପିତାମ୍ବର ମେହେର, ଝୁନୁର ଧରୁଆ, ସନ୍ତୋଷ ବାରିକଙ୍କ ସମେତ ଆହୁରି ଅନେକ ଏହି ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଛନ୍ତି । ଗ୍ରାମବାସୀଙ୍କ ବ୍ୟବହୃତ ପାନୀୟ ଜଳ ପାଇଁ ଏହି ରୋଗ ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି ।
ଗତ କିଛିବର୍ଷ ତଳେ ଏହି ପଞ୍ଚାୟତର ଭାଙ୍ଗକୁଦ ଗ୍ରାମରେ ଏହି ରୋଗରେ ୯ଜଣଙ୍କ ପ୍ରାଣହାନି ଘଟିଥିଲା । ଏହି ଖବର ଧରିତ୍ରୀରେ ପ୍ରକାଶ ପାଇବା ପରେ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏକ ଡାକ୍ତରୀ ଦଳ ଉକ୍ତ ଗାଁରେ ପହଞ୍ଚତ୍ ଜଳ ନମୂନା ସଂଗ୍ରହ କରିବା ସହିତ ଏହାର ତୁରନ୍ତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ସେହି ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପାଣିର ଗାର ହୋଇ ରହିଯାଇଛି । ତେବେ ଭାଙ୍ଗକୁଦ ଭଳି ଅନୁରୂପ ଅବସ୍ଥା ଟିହିକିପାଲିରେ ଦେଖା ଦେଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭାଳେଣି ପଡିଯାଇଛି ।
ସୂଚନାଯୋଗ୍ୟ, ୩ଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ପ୍ରାୟ ୧୫ ଶହ । ତନ୍ମଧ୍ୟରୁ ୮ଶହ ଉପରେ ମତଦାତା ଅଟନ୍ତି । ଏମାନଙ୍କ ପାନୀୟ ଜଳ ପାଇଁ ସରକାରୀ ହିସାବରେ ରହିଛି ୬ଟି ନଳକୂଅ । ପରିତାପର ବିଷୟ ସ୍କୁଲ ନିକଟସ୍ଥ ନଳକୂଅକୁ ବାଦ୍‌ ଦେଲେ ଅନ୍ୟ ନଳକୂଅର ପାଣି ପାନୀୟ ଉପଯୋଗୀ ନୁହେଁ । ଏହି ପାଣିରେ ରୋଷେଇ କଲେ ଭାତ ହଳଦିଆ ଦେଖାଯିବା ସହିତ ଡାଲିି, ପନିପରିବା ଶିଝୁନାହିଁ । ଏପରିକି ଏହି ପାଣିରେ କପଡା ସଫା କଲେ ସାବୁନ କିମ୍ବା ଡିଟରଜେଣ୍ଟ ପାଉଡର୍‌ରୁ ଫେଣ ବାହାରେ ନାହିଁ । ଅନ୍ୟପକ୍ଷରେ ଗ୍ରାମରେ ଥିବା ବେସରକାରୀ ନଳକୂଅର ମଧ୍ୟ ଅନୁରୂପ ଅବସ୍ଥା । ଲୋକେ ବାଧ୍ୟ ହୋଇ ଗ୍ରାମଠାରୁ ଏକ କିଲୋମିଟର ଦୂରରେ ଥିବା ସ୍କୁଲ ନିକଟସ୍ଥ ନଳକୂଅ ଉପରେ ନିର୍ଭର କରିଥାନ୍ତି। ସବୁବେଳେ ପାଣି ଟୋପାଏ ପାଇଁ ଗରା, ମାଠିଆ ଧରି ମହିଳାମାନଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥାଏ । ପୁଣି ଏତେ ଲୋକଙ୍କୁ ଗୋଟିଏ ମାତ୍ର ନଳକୂଅର ପାଣି ପର୍ଯ୍ୟାପ୍ତ ହେଉ ନ ଥିବାରୁ ଲୋକେ ବାଧ୍ୟ ହୋଇ ପୋଖରୀର ଦୂଷିତ ଜଳକୁ ବ୍ୟବହାର କରୁଛନ୍ତି । ସ୍ଥାନୀୟ ଗିରି ଗୋବର୍ଦ୍ଧନ ପାହାଡ ନିକଟରେ ଗଭୀର ନଳକୂଅ ଖନନ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ସ୍ଥାନୀୟ ଜନପ୍ରତିନିଧି, ବିଧାୟକ, ମନ୍ତ୍ରୀ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କୁହନ୍ତି ଗ୍ରାମର ବିଦେଶ କୁମାର ଦାଶ। କେବଳ ନିର୍ବାଚନ ସମୟରେ ରାଜନେତା ଭୋଟ ହାତେଇବା ପାଇଁ ପ୍ରତିଶ୍ରୁତି ଦେଇ ଚାଲିଯାଇଥାନ୍ତି । ପରବର୍ତ୍ତୀ ସମୟରେ ଏକଥାକୁ ଭୁଲି ଯାଉଛନ୍ତି । ତୁରନ୍ତ ଜନପ୍ରତିନିଧି ଓ ପ୍ରଶାସନ ଗ୍ରାମବାସୀଙ୍କ ଏହି ସମସ୍ୟାକୁ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।