ଜଳିଗଲା ୧୧ ଏକର ଆଖୁ ଫସଲ

ଢେଙ୍କାନାଳ ଅଫିସ, ୨୦।୧: ଢେଙ୍କାନାଳ ସଦର ଥାନା ଭୋଜଦେଈପୁର ଗ୍ରାମ ଶିବ ମନ୍ଦିର ନିକଟ ଆଖୁ ଜମିରେ ରବିବାର ଅପରାହ୍ନ ୪ଟାରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୧ଏକର ଫସଲ ପୋଡ଼ିଯାଇଛି। ଏଥିରେ ବିନୋଦିନୀ ଖିଲାର, ସସ୍ମିତା ନନ୍ଦ, କୁମୁଦିନୀ ମଲ୍ଲିକ, ଅବନ୍ତୀ ମଲ୍ଲିକ, ମନୋଜ ମଲ୍ଲିକ ପ୍ରମୁଖ କ୍ଷତିଗ୍ରସ୍ତ ହୋଇଛନ୍ତି। ସମ୍ପୃକ୍ତ ଚାଷୀମାନେ ମିଳିମିଶି ବ୍ୟାଙ୍କରୁ ୫ଲକ୍ଷ ଏବଂ ହାତ ଉଧାରି ୩ ଲକ୍ଷ ୨୦ ହଜାର ଏପରି ମୋଟ ୮ଲକ୍ଷ ୨୦ ହଜାର ଟଙ୍କା ଋଣ କରି ଆଖୁ ଫସଲ କରିଥିଲେ। ମୋଟ ୧୬ ଏକର ଜମିରେ ଆଖୁଚାଷ ହୋଇଥିଲା। ସେଥିରୁ ୫ ଏକର ଜମିରୁ ଆଖୁ କଟା ସରିଥିଲା। ଅମଳ ପୂର୍ବରୁ ୧୧ଏକର ଜମିର ଫସଲ ଜଳିପୋଡ଼ି ଛାରଖାର ହୋଇଯିବା ଋଣୀ ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି।
ଅନ୍ୟପଟେ ଚାଷୀମାନେ ଅଭିଯୋଗ କରିଛନ୍ତି, ସୂଚନା ଦିଆଯିବା ସତ୍ତ୍ୱେ ଅଗ୍ନିଶମ କର୍ମଚାରୀ ତୁରନ୍ତ ପହଞ୍ଚତ୍ ନ ଥିଲେ। ଫଳରେ ନିଅଁା ଖୁବ୍‌ କମ୍‌ ସମୟରେ ବ୍ୟାପୀଯାଇଥିଲା। ନିଅଁା ଲାଗିବାର ପାଖାପାଖି ଦୁଇଘଣ୍ଟା ପରେ ସନ୍ଧ୍ୟା ୬ଟାରେ ହିନ୍ଦୋଳ ରୋଡରୁ ଗୋଟିଏ ଦମକଳ ଗାଡ଼ି ପହଞ୍ଚତ୍ଥିଲା। ହେଲେ ନିଅଁା ଏତେ ଭୟଙ୍କର ଭାବେ ମାଡ଼ି ଚାଲିଥିଲା ଯେ, ତାକୁ ଆୟତ୍ତ କରିବା ଅସମ୍ଭବ ହୋଇପଡ଼ିଥିଲା। ଏହାପରେ ସନ୍ଧ୍ୟା ୬ଟା ୫୦ରେ ଢେଙ୍କାନାଳରୁ ଅନ୍ୟ ଏକ ଦମକଳ ଗାଡ଼ି ପହଞ୍ଚତ୍ ନିଅଁା ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲା। ତେବେ ଖବର ଲେଖାଯିବା ସୁଦ୍ଧା ନିଅଁାକୁ ସମ୍ପୂର୍ଣ୍ଣ ଆୟତ୍ତ କରାଯାଇପାରିନାହିଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଏ ସଂକ୍ରାନ୍ତରେ ଢେଙ୍କାନାଳ ଅଗ୍ନିଶମ ସଂସ୍ଥା ଅଧିକାରୀ ଉମାକାନ୍ତ ନାୟକ କୁହନ୍ତି, ସୂଚନା ପାଇବା ପରେ ତୁରନ୍ତ ଗୋଟିଏ ଦମକଳ ଗାଡ଼ି ପଠାଯାଇଥିଲା। ଅନ୍ୟ ଏକ ଗାଡ଼ି ନ ଥିବାରୁ ହିନ୍ଦୋଳ ରୋଡ କେନ୍ଦ୍ରକୁ ସୂଚନା ଦିଆଯାଇଥିଲା। ସେଠାରୁ ଗୋଟିଏ ଦମକଳ ଗାଡ଼ି ଯାଇଥିଲା। ଢେଙ୍କାନାଳ କେନ୍ଦ୍ରକୁ ଗାଡ଼ି ଫେରିବା ପରେ ଦ୍ୱିତୀୟ ଗାଡ଼ିକୁ ମଧ୍ୟ ପଠାଯାଇଥିଲା। ଏବେ ୩ଟି ଦମକଳ ନିଅଁା ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ନିଅଁାକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।