ଜଳବନ୍ଦୀ ପରେ ଚେତିଲେ ବିଏମ୍‌ସି କର୍ତ୍ତୃପକ୍ଷ: ସମ୍ପ୍ରସାରିତ ହେବ ସହରର ଡ୍ରେନ୍‌

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ପ୍ରତ୍ୟେକ ବର୍ଷ ଭୁବନେଶ୍ୱରବାସୀ ଡ୍ରେନେଜକୁ ନେଇ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଯିବା ସହ ଅଧିକାଂଶ ସମୟରେ ଡ୍ରେନେଜ ଜାମ୍‌, ରାସ୍ତାରେ ମଇଳା ପାଣି ଭାସିବା ପରି ସମସ୍ୟା ଭୋଗୁଛନ୍ତି। ପ୍ରତିବର୍ଷ ଲୋକଙ୍କୁ ଆଶ୍ୱାସନା ଦେବା ଭଳି ବିଏମସି ଯୋଜନା ପରେ ଯୋଜନା ଆଗତ କରୁଛି। ହେଲେ ସମୟାନୁସାରେ ଯୋଜନାଗୁଡିକ ସରକାରୀ ଦପ୍ତରରେ ନାଲି ଫିତା ତଳେ ବନ୍ଦ ହୋଇ ରହିଯାଉଛି। ସବୁଥର ଡ୍ରେନ ଚ୍ୟାନେଲ ସଫା କରିବା, ପୁନରୁଦ୍ଧାର କରିବା ଜାରି ରହିଥିବାବେଳେ ଏବେ ବିଏମସିକୁ ଡ୍ରେନ ସମ୍ପ୍ରସାରଣ କରିବା ଚିନ୍ତା ଘାରିଛି। ଯାହାର ଫଳସ୍ବରୂପ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ସହରରେ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଡ୍ରେନେଜଗୁଡିକର ସମ୍ପ୍ରସାରଣ କରିବା ଲକ୍ଷ ରଖିଛି। ଏ ନେଇ ବିଏମ୍‌ସି ପକ୍ଷରୁ ୩୭୮ କୋଟି ୫୧ ଲକ୍ଷ ଟଙ୍କାର ଅର୍ଥ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ବିଏମ୍‌ସି ମଙ୍ଗଳବାର ଅବଗତ କରାଇଛି।
ଏହି ଯୋଜନାରେ ବିଏମ୍‌ସି ୧୯୭ଟି ଆଭ୍ୟନ୍ତରୀଣ ସଂଯୁକ୍ତ ଡ୍ରେନ ଓ ୧୦ଟି ମୁଖ୍ୟ ଡ୍ରେନର ବିକାଶ ଦର୍ଶାଇଛି। ଏଥିପାଇଁ ୬୦ ଏକର ଅଧିକ ଜମି ଅଧିଗ୍ରହଣ କରାଯିବ ବୋଲି ବିଏମସି କହିଛି। ଏହି ଜମି ପାଇଁ ୬୨୦ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରିଛି। ସେହିପରି ୧୯୭ଟି ଆଭ୍ୟନ୍ତରୀଣ ଡ୍ରେନର ବିକାଶ ପାଇଁ ୭୧ କୋଟି ୯୭ ଲକ୍ଷ ଟଙ୍କାରୁ ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି ଓ ମୁଖ୍ୟ ଡ୍ରେନଗୁଡିକର ବିକାଶକୁ ଲକ୍ଷ୍ୟ କରି ୩ରୁ ୪ ମିଟର ଉଚ୍ଚତା ବିଶିଷ୍ଟ କାନ୍ଥ କରିବାର ଯୋଜନା ରହିଛି। ଉଲ୍ଲେଖ ଥାଉକି ସହରର ଡ୍ରେନେଜ ସମସ୍ୟା ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଗତ ମାର୍ଚ୍ଚ ୬ ତାରିଖରେ ହଜାର କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଥିଲେ। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅପାରଗତା ଓ ଅବହେଳା ପାଇଁ ଗତ ୫ ମାସ ହେବ ଏହି ଯୋଜନାଟିରେ କୌଣସି ଉନ୍ନତି ଆସିପାରି ନ ଥିଲା। ମୌସୁମୀ ଆସିବା ପରେ ବର୍ଷା ହେତୁ ଜଳବନ୍ଦୀ ସମସ୍ୟା ଦେଖାଯିବାରୁ ଏବେ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗିଛି।