ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶକୁ ନେଇ ପ୍ରତିଷେଧ ମୂଳକ ପଦକ୍ଷେପ: କୋଷ୍ଟଗାର୍ଡ, ମେରାଇନ ପୋଲିସକୁ ଚିଠି ଲେଖିଲେ ଜିଲାପାଳ

ଛତ୍ରପୁର, ୨୧।୪(ଡି.ଏନ୍‌.ଏ.): ବାହାର ରାଜ୍ୟରୁ କେହି ଲୋକ ଜଳପଥ ଦେଇ ଗଞ୍ଜାମ ଜିଲାରେ ପ୍ରବେଶ କରିବାକୁ ନେଇ ପ୍ରଶାସନ ପକ୍ଷରୁ ସବୁପ୍ରକାର ପ୍ରତିଷେଧକ ମୂଳକ ପଦକ୍ଷେପ ନିଆଯାଇଛି। ଏ ନେଇ ସମୁଦ୍ର ପଥରେ ନଜର ରଖିବାକୁ କୋଷ୍ଟଗାର୍ଡ, ଗଞ୍ଜାମ ଓ ବ୍ରହ୍ମପୁର ଏସ୍‌ପି, ୨ ମେରାଇନ ଥାନା ଅଧିକାରୀ, ସମୁଦ୍ର ଉପକୂଳ ଅଞ୍ଚଳର ବିଡିଓ ଓ ତହସିଲଦାରଙ୍କୁ ପ୍ରଶାସନ ପକ୍ଷରୁ ଚିଠି ଲେଖାଯାଇଛି। ଏ ନେଇ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ମଙ୍ଗଳବାର ଖବରଦାତାଙ୍କୁ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଚେନ୍ନାଇରୁ ସମୁଦ୍ର ପଥରେ ୨୭ ମତ୍ସ୍ୟଜୀବୀ ଡଙ୍ଗାରେ ଆସି ଆନ୍ଧ୍ର ପ୍ରଦେଶର ଇଚ୍ଛାପୁର ନିକଟ ସମୁଦ୍ର କୂଳରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରେ ଗଞ୍ଜାମ ଜିଲା ପାତିସୋନପୁର ଅଞ୍ଚଳର ୯ ଜଣ ରହିଛନ୍ତି। ସମସ୍ତେ ଆନ୍ଧ୍ର ପ୍ରଦେଶରେ କ୍ୱାରାଣ୍ଟାଇନରେ ଅଛନ୍ତି। ଗଞ୍ଜାମ ଜ଼ିଲାର ଚିକିଟି ବିଡିଓ, ତହସିଲଦାର ସେଠାକୁ ଯାଇ ଅନୁଧ୍ୟାନକରି ଫେରିଥିବା ଜିଲାପାଳ କହିଛନ୍ତି। ଯେଉଁମାନେ ବାହାରୁ ଆସିବେ ସେମାନଙ୍କର ସ୍କ୍ରିନିଂ ସହ କ୍ୱାରାଣ୍ଟାଇନରେ ରଖାଯିବ ବୋଲି ମଧ୍ୟ ସେ କହିଛନ୍ତି।