ଜରିମାନା ଆଦାୟକୁ ବିରୋଧ: ଦୋକାନ ବନ୍ଦ କଲେ ବ୍ୟବସାୟୀ

ଉଦଳା,୩ା୫(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବଜାରରେ ପୋଲିସ୍‌ର ଚେକିଂ ଏବଂ ଜରିମାନା ଆଦାୟକୁ ସ୍ଥାନୀୟ ବଣିକ ସଂଘ ବିରୋଧ କରିଛି। ଏନେଇ ଶନିବାର ପୋଲିସ୍‌ ଏବଂ ବଣିକ ସଂଘ ମଧ୍ୟରେ ବିବାଦୀୟ ପରିସ୍ଥିତି ଦେଖା ଦେଇଥିଲା। ପୋଲିସର ମାତ୍ରାଧିକ କାର୍ଯ୍ୟକଳାପ ପ୍ରତିବାଦରେ ବଣିକ ସଂଘ ପକ୍ଷରୁ ଉଦଳା ବଜାରରେ ସମସ୍ତ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି। ସୂଚନା ଅନୁଯାୟୀ, ଉଦଳା ପୋଲିସ୍‌ ସ୍ଥାନୀୟ ଚକାଡୋଳା ମାର୍କେଟ ଛକ ନିକଟରେ ଚେକିଂ ଜାରି ରଖିଥିଲା। ଯେଉଁମାନେ ମାସ୍କ ପିନ୍ଧି ନ ଥିଲେ ଏବଂ ବିନା କାରଣରେ ଅଯଥା ଭିଡ ବଢାଇ ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ କରୁଥିଲେ ସେମାନଙ୍କୁ ତାଗିଦ୍‌ କରୁଥିଲା। ହେଲେ ବଣିକ ସଂଘର କର୍ମକର୍ତ୍ତା ଏହାକୁ ବିରୋଧ କରିଥିଲେ। ସଂଘର ସଭାପତି ରବୀନ୍ଦ୍ର ପରିଡ଼ା, ସମ୍ପାଦକ ଧୀରେନ୍ଦ୍ର ଖଣ୍ଡେଲୱାଲ ପ୍ରମୁଖ ଉଦଳା ଥାନା ଅଧିକାରିଣୀ ରୀନା ବେହେରାଙ୍କୁ ଭେଟି ବଜାରରେ ଚେକିଂ ନ କରି ଅନ୍ୟତ୍ର ଚେକିଂ କରିବାକୁ କହିଥିଲେ। ପରେ ବଣିକ ସଂଘ କର୍ମକର୍ତ୍ତା ଏକାଠି ହୋଇ ଦୋକାନ ବନ୍ଦ କରିଥିଲେ। ତେବେ ବୈଠକ ବେଳେ ବଣିକ ସଂଘ କର୍ମକର୍ତ୍ତା ସାମାଜିକ ଦୂରତ୍ୱ ନିୟମ ମାନି ନ ଥିବା ଦେଖିବାକୁ ମିଳିଥିଲା। ଏନେଇ ଉପଖଣ୍ଡ ପୋଲିସ୍‌ ଅଧିକାରୀ ସବିତା ମାଝୀଙ୍କୁ ପଚାରିବାରୁ ମାସ୍କ ନ ପିନ୍ଧି ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟରୁ ନିର୍ଦ୍ଧାରିତ ଫାଇନ୍‌ ଆଦାୟ କରାଯାଉଛି ବୋଲି ସେ କହିଛନ୍ତି ା