Categories: ରାଜ୍ୟ

ଜରନ୍ଦାପାଳ ପୋଲ ନିକଟରୁ ଗାଡ଼ି ମାଲିକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ, ଜଣେ ଅଟକ

କଳିଙ୍ଗନଗର,୮ା୬(ଡି.ଏନ୍‌.ଏ.): ଟମକା ଥାନା ଜରନ୍ଦାପାଳ ଛକ ନିକଟରୁ ଶୁକ୍ରବାର ସକାଳେ ପୋଲିସ ସ୍ଥାନୀୟ ଅଞ୍ଚଳର ଜଣେ ଗାଡି ମାଲିକଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜରନ୍ଦାପାଳ ଗ୍ରାମର ନିରଞ୍ଜନ ସାହୁ(୪୦)। କଳିଙ୍ଗନଗର ଏଏସ୍‌ପି ରାଜକିଶୋର ଦୋରା ଓ ଟମକା ଥାନା ଅଧିକାରୀ ସଙ୍ଘମିତ୍ରା ନାୟକ ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ସହିତ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି। ତଦନ୍ତ ବେଳେ ପୋଲିସ ମୃତଦେହ ନିକଟରୁ ଏକ ଛୁରୀ ପାଇଥିଲା। ଏଥିସହ ଘଟଣାସ୍ଥଳର କିଛି ଦୂରରେ ଥିବା ଜଣେ ବ୍ୟକ୍ତିଙ୍କ ଘରୁ ଏକ ଏୟାର ପିସ୍ତଲ, ଗୋଟିଏ ଛୁରୀ ଓ ୫ ମୋବାଇଲ ଫୋନ ଜବତ କିରିଛି। ସନ୍ଦେହରେ ସେହି ଘର ମାଲିକଙ୍କୁ ଥାନାରେ ଅଟକ ରଖା ଯାଇ ପଚରାଉଚରା ଜାରିରହିଛି। ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବାରୁ ଏହା ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ ବୋଲି ପୋଲିସ ଅନୁମାନ କରୁଛି। ଏ ନେଇ ଏକ ମାମଲା ନଂ-(୪୪/୧୯) ରୁଜୁ କରାଯାଇ ମୃତଦେହ ବ୍ୟବଚ୍ଛେଦ ପାଇଁ ଦାନଗଦୀ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ପୋଲିସ କହିଛି। ଅପରପକ୍ଷେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଏବଂ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଡୁବୁରୀ ଟମକା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ପୋଲିସ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିବା ଜଣାପଡିଛି।
ପ୍ରକାଶ ଯେ, ନିରଞ୍ଜନ ଗୁରୁବାର ସନ୍ଧ୍ୟାରେ କୌଣସି କାମରେ ଘରୁ ବାହାରକୁ ଯାଇ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ତାଙ୍କର ଖବର ପାଇ ନ ଥିଲେ। ସକାଳେ ଘର ପାଖ ପୋଲର ଏକ ଖାଲରେ ତାଙ୍କ ମୃତଦେହ ପଡିଥିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ତେବେ ମୃତ ନିରଞ୍ଜନ ଦୀର୍ଘବର୍ଷ ଧରି ଗାଡି ବ୍ୟବସାୟ କରି ଆସୁଥିଲେ। ତେଣୁ ବ୍ୟବସାୟୀକ ଶତ୍ରୁତାକୁ ନେଇ କେହି ତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।