Categories: ଜାତୀୟ

ଜମ୍ମୁ ପୋଲିସର ଆଡ୍‌ଭାଇଜରି: ସନ୍ଦିଗ୍ଧଙ୍କ ସମ୍ପର୍କରେ ତୁରନ୍ତ ଜଣାଅ

ଜମ୍ମୁ,୧୩ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀର ଦୁଇଭାଗ ହେବା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ଭାରତର ନିଷ୍ପତ୍ତିକୁ ଦୃଢ଼ ବିରୋଧ କରୁଥିବା ପାକିସ୍ତାନ ଜମ୍ମୁ-କଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ପ୍ରୟାସ କରୁଛି। ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ଥିବା ଗୋଇନ୍ଦା ସୂଚନା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଜମ୍ମୁରେ ସ୍ବାଧୀନତା ଦିବସ ସଫଳତାର ସହ ପାଳନ କରିବା ପାଇଁ ପୋଲିସ ଜନସାଧାରଣଙ୍କ ସହଯୋଗ ଲୋଡିଛି। କୌଣସି ସନ୍ଦିଗ୍ଧ ବ୍ୟକ୍ତି କିମ୍ବା ବସ୍ତୁ ଦେଖିଲେ ତୁରନ୍ତ ପୋଲିସକୁ ଜଣାଇବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି। ଏନେଇ ଜମ୍ମୁର ବରିଷ୍ଠ ଏସ୍‌ପିଙ୍କ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସେମାନଙ୍କ ସାଙ୍ଗରେ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା, ଧାରୁଆ ଅସ୍ତ୍ର, ହ୍ୟାଣ୍ଡବ୍ୟାଗ୍‌, ପଲିଥିନ୍‌ ବ୍ୟାଗ, ଟ୍ରାଞ୍ଜିଷ୍ଟର, ଷ୍ଟପ୍‌ ଓ୍ବାଚ୍‌, କୌଣସି ପ୍ରକାର ପାଉଡର କିମ୍ବା ଦିଆସିଲ, ଲାଇଟର ଭଳି ଦାହ୍ୟ ସାମଗ୍ରୀ, କ୍ୟାମେରା ଆଦି ସାଙ୍ଗରେ ନ ନେବାକୁ ପରାମର୍ଶ ଦିଆଯାଇଛି। ସୁରକ୍ଷା ଯବାନଙ୍କୁ ସହଯୋଗ କରିବା ଏବଂ ଆବଶ୍ୟକସ୍ଥଳେ ସେମାନଙ୍କ ପରିଚୟ ଦେବାରେ କୁଣ୍ଠାବୋଧ ନ କରିବାକୁ କୁହାଯାଇଛି।
ଜମ୍ମୁ-କଶ୍ମୀରକୁ ମିଳୁଥବା ସ୍ବତନ୍ତ୍ର ମାନ୍ୟତା ଅଗଷ୍ଟ ୫ରୁ ରଦ୍ଦ ହେବା ପରଠାରୁ ଜିଲା ପ୍ରଶାସନ ନିୟମିତ ଭାବେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରୁଛି। ସେଠାରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଘଟେ ସେଥିପାଇଁ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟେଲିଫୋନ ଓ ଇଣ୍ଟରନେଟ ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପରେ ଧୀରେ ଧୀରେ କଟକଣା କୋହଳ କରାଯାଉଛି।

Share