ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଖୁସିରେ ପାଳନ ହେଲା ଭାରତ ଉତ୍ସବ

ଜଗତ୍‌ସିଂହପୁର ଅଫିସ,୬ା୮: କଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ସହ ଏହାକୁ କେନ୍ଦ୍ର ଶାସିତ ଅଞ୍ଚଳ ମାନ୍ୟତା ଦିଆଯାଇଛି। ଜମ୍ମୁ-କଶ୍ମୀର ଓ ଲଦାଖ ପୃଥକ କେନ୍ଦ୍ର ଶାସିତ ଅଞ୍ଚଳ ହୋଇଛି। କଶ୍ମୀର ଦେଶର ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ରହିବ। ଦୀର୍ଘ ୭୦ ବର୍ଷ ଭିତରେ ଯାହା ହୋଇପାରି ନ ଥିଲା, ତାହା ଆଜି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର କରି ଦେଖାଇଛି। ତେଣୁ ଏହା ଦେଶ ପାଇଁ ଐତିହାସିକ ଦିବସ। ଭାରତ ସରକାରଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଉଛି। ଏହି ଖୁସିରେ ଭାଜପା ଜଗତ୍‌ସିଂହପୁର ଜିଲା ଶାଖା ପକ୍ଷରୁ ସୋମବାର ସନ୍ଧ୍ୟାରେ ଭାରତ ଉତ୍ସବ ପାଳନ କରାଯାଇଛି। ଜିଲା ଭାଜପା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ ନେତା ଓ କର୍ମୀମାନେ ସ୍ଥାନୀୟ ଥାନା ଛକରେ ବିଜୟ ଉତ୍ସବ ପାଳନ କରିଥିଲେ। ଏଥିରେ ଜିଲା ଉପସଭାପତି ସୌଭାଗ୍ୟ ମହାନ୍ତି, ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ, ନଗର ସଭାପତି ଅକ୍ଷୟ ପାତ୍ର, ମିଡିଆ ସେଲର ଗଣେଶ ପ୍ରସାଦ ମହାନ୍ତି, ଶ୍ରୀକାନ୍ତ ଚୌଧୁରୀ, ରଣଜିତ ମହାନ୍ତି, ହୃଷୀକେଶ ନନ୍ଦଙ୍କ ସମେତ ଅନେକ ଲୋକ ସାମିଲ ହୋଇଥିଲେ।