ଜମି ବିବାଦ: ସାନଭାଇଙ୍କୁ ହାଣି ବଡ଼ ଗିରଫ

ଶଙ୍କରାଖୋଲ/ଟିକାବାଲି,୧୩ା୧୧(ଡି.ଏନ.ଏ.)-କନ୍ଧମାଳ ଜିଲା ଚକାପାଦ ଥାନା ପସରା ପଞ୍ଚାୟତର ଗୋଛାବାରୀ ଗ୍ରାମରେ ଜମି ଭାଗବଣ୍ଟାକୁ ନେଇ ସାନଭାଇ ବିକ୍ରମ କହଁରକୁ ହାଣିଥିବା ଅଭିଯୋଗରେ ମଙ୍ଗଳବାର ଚକାପାଦ ପୋଲିସ ବଡଭାଇଙ୍କୁ କୋର୍ଟ ଚାଲାଣ କରିଛି। ସେ ହେଲେ ନନ୍ଦ କହଁର। ଚକାପାଦ ଥାନାରେ ନଂ. ୫୯/୧୯ରେ ମାମଲା ରୁଜୁ ହୋଇଛି। ପ୍ରକାଶ ଯେ, ଜମିଜମା ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା। ସୋମବାର ଗୋଛାବାରୀରେ ବିକ୍ରମ ଏକ ମହୁଲ ଗଛ ତଳେ ଶୋଇଥିବା ବେଳେ ନନ୍ଦ ପୁଣି ତାଙ୍କ ସହ ପାଟିତୁଣ୍ଡ କରିଥିଲେ। ପରେ ସେ ବିକ୍ରମଙ୍କୁ ଘୋସାଡି ଆଣି ନିଜ ଘର ଆଗରେ ମୁଣ୍ଡକୁ ଟାଙ୍ଗିଆରେ ହାଣି ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ପରିବାର ଲୋକେ ଗୁରୁତର ଅବସ୍ଥାରେ ବିକ୍ରମଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏ ନେଇ ବିକ୍ରମଙ୍କ ସ୍ତ୍ରୀ କୁମାରୀ ଚକାପାଦ ଥାନାରେ ଏତଲା ଦେଇଥିଲେ।