ଜମି କିଣାବିକା ଅନୁମତି ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅନ୍ତର୍ଗତ ୧୨ଟି ଗାଁ ଦେଇ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରି ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି । ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଏହି ୧୨ଟି ଗାଁରେ ବର୍ତ୍ତମାନ ଜମି କିଣାବିକା ପ୍ରକ୍ରିୟା ବନ୍ଦ ରହିଥିବାରୁ ସାଧାରଣ ଲୋକେ ଆବଶ୍ୟକ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କୌଣସି ସମାଧାନ ହୋଇ ପାରୁ ନ ଥିବାରୁ ଜମି କିଣାବିକା ଅନୁମତି ଦେବାକୁ ବଡକେନ୍ଦୁଗୁଡାବାସୀ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି । ଗ୍ରାମର ଆଦିତ୍ୟ ପଣ୍ଡା, ଗୌରାଙ୍ଗ ସୁନା, ଗୋବର୍ଦ୍ଧନ ମାଝି ପ୍ରମୁଖ ଜିଲାପାଳଙ୍କୁ ଭେଟି ଲିଖିତ ଅବଗତ କରାଇଛନ୍ତି।