ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା: ନିର୍ବାହୀ ଅଧିକାରୀଙ୍କୁ ଘେରିଲେ

ବାଲେଶ୍ୱର ଅଫିସ, ୨୬।୨-ବାଲେଶ୍ୱର ସହର ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ଲାଗି ଜିଲା ପ୍ରଶାସନ ଓ ପୌରପାଳିକା କର୍ତ୍ତୃପକ୍ଷ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ପୌରପାଳିକା କର୍ତ୍ତୃପକ୍ଷଙ୍କ ପାତରଅନ୍ତର ନୀତି ଯୋଗୁ ବିଭିନ୍ନ ବସ୍ତିରେ ଉତ୍ତେଜନା ସୃଷ୍ଟି ହେଉଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ନିର୍ବାହୀ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଲୋକମାନେ ଘେରି ରଖିଥିବା ବେଳେ ପୋଲିସ ପହଞ୍ଚତ୍ ଉଦ୍ଧାର କରିଛି।
ପ୍ରାୟ ମାସକ ତଳେ ଗଳାପୋଖରୀ ନିକଟବର୍ତ୍ତୀ ଦରଘା ମଇଦାନ ନିକଟରେ ଅସ୍ଥାୟୀ କ୍ୟାବିନଗୁଡ଼ିକୁ ଉଚ୍ଛେଦ ସମୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏହାର ସମାଧାନ ନ ହେବାରୁ ପୁନର୍ବାର ମଙ୍ଗଳବାର ପୂର୍ବାହ୍ନରେ ପୌରପାଳିକା ନିର୍ବାହୀ ଅଧିକାରୀ ଏବଂ ଅମିନ ଅଜୟ ପରିଡ଼ା ପୋଲିସ ବଳ ଓ ଜେସିବି ମେସିନ୍‌ ଆଣି ଏକ ହୋଟେଲକୁ ଭାଙ୍ଗିବା ପାଇଁ ପଦକ୍ଷେପ ନେବାରୁ ବିବାଦ ସୃଷ୍ଟି ହୋଇଥିଲା। ତେବେ ସ୍ଥାନୀୟ ଲୋକମାନେ ଉକ୍ତ ହୋଟେଲକୁ ନିଜେ ଭାଙ୍ଗିବେ ବୋଲି କହିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା। ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ଟାଉନ ଥାନା ଅଧିକାରିଣୀ ସରୋଜିନୀ ନାୟକ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସରକାରୀ ଜାଗାରେ ଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ଘର ଓ ନିକଟରେ ଥିବା କମ୍ୟୁନିଟି ସେଣ୍ଟରକୁ ଭାଙ୍ଗିବା ପାଇଁ ଦାବି ହୋଇଥିଲା। ପୂର୍ବରୁ ଉକ୍ତ ବ୍ୟକ୍ତିମାନଙ୍କ ଘର ମାପଚୁପ କରାଯାଇଥିବା ବେଳେ ମଙ୍ଗଳବାର ସେଠାରେ ପହଞ୍ଚତ୍ବା ବେଳକୁ ମ୍ୟୁନିସିପାଲିଟି ଅମିନ ଓ ଆର୍‌ଆଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଏହାକୁ ନେଇ ଅଧିକ ଉତ୍ତେଜନା ଦେଖାଦେଇଥିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା ହୋଇ ସମସ୍ତ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ କରିଥିବା ଜଣାପଡ଼ିଛି। ଜିଲା ପ୍ରଶାସନ ସହିତ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ତହସିଲଦାର ଶତ୍ରୁଘ୍ନ ସେଠୀ ପ୍ରକାଶ କରିଛନ୍ତି।