ଜବରଦଖଲ ଉଚ୍ଛେଦ ନୋଟିସକୁ ପୌରାଞ୍ଚଳ ପଟ୍ଟାବିହୀନ ବାସିନ୍ଦା ସଂଘର ବିରୋଧ

ବାରିପଦା ଅଫିସ,୨୯।୭- ବାରିପଦା ସହର ଦେବେନ୍ଦ୍ରପୁରରେ ବସବାସ କରୁଥିବା ପଟ୍ଟା ବିହୀନ ବାସିନ୍ଦାଙ୍କୁ ଜବରଦଖଲ ସ୍ଥାନରୁ ଉଚ୍ଛେଦ କରିବା ପାଇଁ ଜିଲା ପ୍ରଶାସନ ନୋଟିସ ଜାରି କରିଛି। ଏହାକୁ ପୌରାଞ୍ଚଳ ପଟ୍ଟାବିହୀନ ସଂଘର ସଭାପତି ନନ୍ଦ କୁମାର ମହାପାତ୍ର ଓ ସମ୍ପାଦକ କାହ୍ନୁଚରଣ ବେହେରା ବିରୋଧ କରିଛନ୍ତି। ଅମାନବୀୟ ଭାବେ ପ୍ରଶାସନ ନୋଟିସ କରିଥିବା ସଂଘ ଅଭିଯୋଗ କରିଛିି। ଏହା ବିରୋଧରେ ସଂଘ ଆନ୍ଦୋଳନ କରିବ ବୋଲି ଏକ ପ୍ରେସ ବିବୃତିରେ ସୂଚନା ଦିଆଯାଇଛି। ସଂଘର ଅଭିଯୋଗ ମୁତାବକ ଦେବେନ୍ଦ୍ରପୁରରେ ବହୁ ପଟ୍ଟାବିହୀନ ପରିବାର ଦୀର୍ଘ ୨୦ ବର୍ଷ ହେବ ରହିଆସୁଛନ୍ତି। ସେମାନଙ୍କୁୂ ହଠାତ ଉଚ୍ଛେଦ କଲେ ସେମାନେ ଅସହାୟ ହୋଇ ପଡିବେ। ଏହି ଲୋକମାନେ ବସବାସ କରୁଥିବା ଜାଗା ୨୦୧୭ ପୂର୍ବରୁ ଆରଡିହ ଜାଗା ଭାବେ ଚିହ୍ନିତ ଥିଲା। ପରେ ଏହା ସରକାରୀ ଖାତାକୁ ଆସିଛି। ଅନ୍ୟପକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ପଟ୍ଟାବିହୀନ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସେମାନଙ୍କୁ ପ୍ରଥମେ ଜମି ପଟ୍ଟା ଦିଆଯାଇ ଜମି ଅଧିକାର ପ୍ରଦାନ କରିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ମାତ୍ର ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସହରର ଅନେକ ସ୍ଥାନରେ ଆରଡିହ ଜମି ଫାଙ୍କା ପଡିଥିବା ବେଳେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଏହାକୁ ମାଡି ବସିଛନ୍ତି। ଏପରିସ୍ଥଳେ ବାରିପଦା ଉପଜିଲାପାଳଙ୍କ କାର୍ଯ୍ୟାଳୟର ଓପିପି(ଇୟୁଓ) ମାମଲା ନଂ.-୪/୨୦୧୯ ଅନୁସରଣରେ ପି.ଆର ନଂ.-୨୯ (୨୪ା୭ା୨୦୧୯)ରେ ଦେବେନ୍ଦ୍ରପୁରରେ ବସବାସ କରୁଥିବା ପଟ୍ଟା ବିହୀନ ପରିବାରଗୁଡିକୁ ଆସନ୍ତା ୩୦ ତାରିଖରେ ହାଜର ହୋଇ କୈଫିୟତ ଦେବାକୁ ନୋଟିସ କରାଯାଇଛି। ଉତ୍ତର ଠିକ୍‌ ନ ଦେଇ ପାରିଲେ ଜବରଦଖଲ ଉଚ୍ଛେଦ କରାଯିବ। ଏହି ନୋଟିସ ଓ ଉଚ୍ଛେଦ ପ୍ରସ୍ତାବକୁ ସଂଘ ବିରୋଧ କରିଛି। ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଳାଇବ ବୋଲି ନିଷ୍ପତ୍ତି ନିଆଯାଇଥିବା ସଭାପତି ମହାପାତ୍ର କହିଛନ୍ତି।