ଜବତ ବଜ୍ରକାପ୍ତା ଜନ୍ମ ଦେଲା ଶାବକ

ବାରିପଦା ଅଫିସ,୧ା୧୧- ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ ପକ୍ଷରୁ ଗତ ମଙ୍ଗଳବାର ରାତିରେ କୁଳିଅଣା ଥାନା ଅଧୀନ ଅସନଯୋଡ଼ା ନିକଟସ୍ଥ ଏକ ଢାବାରୁ ୧୮ କିଗ୍ରା ଓଜନର ଏକ ବଜ୍ରକାପ୍ତା ଜବତ କରାଯାଇଥିଲା। ଏହି ବଜ୍ରକାପ୍ତା ଗୁରୁବାର ସକାଳେ ଏକ ଶାବକ ଜନ୍ମ ଦେଇଛି। ଏନେଇ ପିଠାବଟା ରେଞ୍ଜର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି। ଏହି ଶାବକ ସୁସ୍ଥ ଥିବାବେଳେ କୋର୍ଟର ନିଷ୍ପତ୍ତି ପରେ ମା’ ବଜ୍ରକାପ୍ତା ଓ ଶାବକକୁ କେଉଁଠି ଛଡ଼ାଯିବ ସେ ନେଇ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବାଦାମପାହାଡ଼ ଅଞ୍ଚଳରୁ ଏହି ବଜ୍ରକାପ୍ତା ଚାଲାଣ ହେଉଥିଲା। ଦୁଇଟି ଗାଡ଼ିରେ ୧୦ରୁ ଊର୍ଦ୍ଧ୍ୱ ଚାଲାଣକାରୀ ବାରିପଦା ହୋଇ କଲିକତା ଯିବା ଯୋଜନା କରିଥିଲେ। ସେଠାରେ ଏହି ବଜ୍ରକାପ୍ତାକୁ ବିକ୍ରି କରିବାର ଯୋଜନା ହୋଇଥିଲା। ତେବେ ଅସନଯୋଡା ଢାବାଠାରେ ଚାଲାଣକାରୀମାନେ ଖାଉଥିବାବେଳେ ମଙ୍ଗଳବାର ରାତି ପ୍ରାୟ ୯ ଟା ବେଳେ ପିଠାବଟା ରେଞ୍ଜର ଲକ୍ଷ୍ମୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରି ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗିରଫ କରିଥିବାବେଳେ ବଜ୍ରକାପ୍ତା ସହିତ ୨ ଟି ଚାରିଚକିଆ ଯାନ ଜବତ କରିଥିଲା। ଅଭିଯୁକ୍ତମାନଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି।