ଜବତ ପଲିଥିନ ଛଡ଼ାଇ ନେଲେ

ଚାନ୍ଦବାଲି, ୧।୧୧ (ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ପକ୍ଷରୁ ଗୁରୁବାର ଅପରାହ୍ନରେ କେତେକ ଦୋକାନରୁ ଜବତ କରାଯାଇଥିବା ପଲିଥିନକୁ ବ୍ୟବସାୟୀମାନେ ଛଡ଼ାଇ ନେଇଥିବା ଜଣାଯାଇଛି। ଅପରାହ୍ନ ପ୍ରାୟ ୪ଟା ବେଳେ ଏନ୍‌ଏସିର ୨ଜଣ କର୍ମଚାରୀ ପୋଲିସ ସହାୟତାରେ ଚାନ୍ଦବାଲି ସହରର କେତେକ ଦୋକାନରେ ଚଢ଼ାଉ କରିଥିଲେ। ଦୋକାନରୁ ପଲିଥିନ ଜବତ ସହ ପ୍ରାୟ ୨ ହଜାର ଟଙ୍କା ଜରିମାନା ଆଦାୟ କରିଥିଲେ ଏନ୍‌ଏସି କର୍ମଚାରୀ। ଏ ନେଇ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଏନ୍‌ଏସି ପକ୍ଷରୁ ରସିଦ ପ୍ରଦାନ କରାଯାଇଥିଲା। ତେବେ ହଠାତ୍‌ କେତେଜଣ ଲୋକ ଆସି ଏନ୍‌ଏସି କର୍ମଚାରୀଙ୍କୁ ବିରୋଧ କରିବା ସହିତ ସେମାନଙ୍କୁ ଘେରି ଯାଇଥିଲେ। ଆଦାୟ କରାଯାଇଥିବା ଜରିମାନା ଅର୍ଥ ଫେରାଇ ଦେବାକୁ ବାଧ୍ୟ କରିଥିଲେ। ଏପରିକି ସେମାନେ ଏନ୍‌ଏସିର ଜଣେ ପୁରୁଷ ଓ ମହିଳା କର୍ମଚାରୀଙ୍କୁ ଠେଲାପେଲା କରିବା ସହିତ ଜରିମାନା ଟଙ୍କା ଓ ଜବତ ପଲିଥିନ ଛଡ଼ାଇ ନେଇଥିଲେ। ଖବର ପାଇ ପୋଲିସ ଗାଡ଼ି ଆସି ଏନ୍‌ଏସି କର୍ମଚାରୀଙ୍କୁ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର କରିଥିଲା। ଏ ନେଇ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଏନ୍‌ଏସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିବା ସୂଚନା ମିଳିଛି।