ଜନ ପ୍ରତିନିଧି, ସରକାରୀ ଅଧିକାରୀ ପ୍ରସ୍ତୁତ ରହିବାକୁ ଆହ୍ବାନ

ଯାଜପୁର ଅଫିସ,୨୨ା୪: ଯେନତେନ ପ୍ରକାରେ ବାହାର ରାଜ୍ୟରୁ ବିଶେଷ କରି କୋଲକତାରୁ ଆସିଥିବା ବ୍ୟକ୍ତିମାନେ ପଞ୍ଜୀକୃତ ହୋଇ ନାହାନ୍ତି। ସେମାନେ ଦୟାକରି ତୁରନ୍ତ ପଞ୍ଜୀକରଣ କରାଇ ସରକାରୀ କ୍ବାରାଣ୍ଟାଇନରେ ରହିବାକୁ ଜିଲାପାଳ ରଞ୍ଜନ କୁମାର ଦାସ ଅନୁରୋଧ କରିଛନ୍ତି। କରୋନା ପାଇଁ ବାହାର ରାଜ୍ୟରେ ଯାଜପୁର ଜିଲାର ହଜାର ହଜାର ଲୋକ ଅଟକି ରହିଛନ୍ତି। ଲକ୍‌ଡାଉନ ଯୋଗୁ ସେମାନେ ଆସିପାରୁ ନାହାନ୍ତି କିମ୍ବା ଯାଜପୁର ଜିଲାରେ ଅଟକି ରହିଥିବା ଅନ୍ୟ ରାଜ୍ୟର ଲୋକେ ମଧ୍ୟ ସେମାନଙ୍କ ରାଜ୍ୟକୁ ଯାଇପାରୁ ନାହାନ୍ତି। ଲକ୍‌ଡାଉନ ପରେ ଅଟକି ଥିବା ଲୋକ ନିଜ ଅଞ୍ଚଳକୁ ଫେରିବେ। ସେଥିପାଇଁ ପ୍ରତ୍ୟେକ ପ୍ରସ୍ତୁତ ରହିବାକୁ ଜିଲାପାଳ ଦାସ ଆହ୍ବାନ ଦେଇଛନ୍ତି। ବୁଧବାର ଏକ ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ। କନ୍‌ଫରେନ୍ସର ନିର୍ଯ୍ୟାସ ଅନୁସାରେ ବାହାରେ ଥିବା କୌଣସି ବ୍ୟକ୍ତି ବିନା ପଞ୍ଜୀକରଣରେ ଗାଁକୁ ଆସିପାରିବେ ନାହିଁ। ପଞ୍ଜୀକରଣ ପାଇଁ ଏକ ପୋର୍ଟାଲ ଖୋଲାଯିବ ଓ ଏହା ଆସନ୍ତା ୨୪ ତାରିଖରୁ କାର୍ଯ୍ୟ କରିବ। ପଞ୍ଜୀକୃତ ବ୍ୟକ୍ତି ସରକାରୀ କ୍ବାରାଣ୍ଟାଇନରେ ରହିବେ ଓ ୧୪ଦିନ ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେମାନଙ୍କୁ ଛଡ଼ା ଯାଇପାରେ। ସଫଳ କ୍ବାରାଣ୍ଟାଇନ ପାଇଁ ସରକାର ଘୋଷଣା କରିଥିବା ୨ହଜାର ଟଙ୍କା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରଦାନ କରାଯିବ। ବର୍ତ୍ତମାନ କ୍ବାରାଣ୍ଟାଇନ କେନ୍ଦ୍ରରେ ଅଧିକ ଲୋକ ରହିବା ବ୍ୟବସ୍ଥା, ଏହାକୁ ପରିଚାଳନା ପାଇଁ ଟିମ୍‌ ବ୍ୟବସ୍ଥା, ସମ୍ପୃକ୍ତ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ରନ୍ଧାଖାଦ୍ୟ ବ୍ୟବସ୍ଥା, ବିଶୋଧନ ବ୍ୟବସ୍ଥା ଇତ୍ୟାଦି କରାଯିବ। ଏହି କାର୍ଯ୍ୟକୁ ସଫଳଭାବେ ପରିଚାଳନା ପାଇଁ ପଞ୍ଚାୟତରୁ ଜିଲା ପର୍ଯ୍ୟନ୍ତ ସ୍ବତନ୍ତ୍ର ଦଳଗୁଡ଼ିକୁ ବାଛି ପ୍ରଶିକ୍ଷିତ କରାଯିବ। ଏହାକୁ ସମସ୍ତ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଅନ୍ୟାନ୍ୟ ଦାୟିତ୍ୱରେ ଥିବା ଅଧିକାରୀ ପାଳନ କରିବାକୁ ଜିଲାପାଳ ଦାସ ଅନୁରୋଧ କରିଛନ୍ତି। ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର, ରାଜସ୍ବ ଅତିରିକ୍ତ ଜିଲାପାଳ ଅକ୍ଷୟ କୁମାର ମଲ୍ଲିକ, ଯାଜପୁର ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲାପାଳ ନାରାୟଣ ଚନ୍ଦ୍ର ଧଳ ଓ ଅନ୍ୟାନ୍ୟ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।