ଜନ ଆନ୍ଦୋଳନ ସଫଳ: କାର୍ଯ୍ୟକ୍ଷମ ହେଲା ବରଗଡ଼ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା

ବରଗଡ଼ ଅଫିସ,୩।୨: ବରଗଡ଼ ସହରବାସୀଙ୍କ ଜନ ଆନ୍ଦୋଳନ ସଫଳ ହୋଇଛି। ସହରବାସୀଙ୍କ ଆନ୍ଦୋଳନ ପରେ ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେରଙ୍କ ସମେତ ଅନ୍ୟ ଡାକ୍ତର, ସ୍ବାସ୍ଥ୍ୟକର୍ମୀମାନେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ବିଧାୟକ ଦେବେଶ ଆଚାର୍ଯ୍ୟ , ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା କାର୍ଯ୍ୟକ୍ଷମ ହୋଇଛି। ସେଠାରେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମେହେର ଘୋଷଣା କରିଛନ୍ତି। ଏହା ସହିତ ଆସନ୍ତା ବର୍ଷ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପରିସରରେ ଚିକିତ୍ସା ସେବା ସହିତ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ପ୍ରସ୍ତାବ ମଧ୍ୟ ନିଆଯାଇଥିବା ନେଇ ସୂଚନା ଦିଆଯିବା ପରେ ସହରବାସୀ ଆନ୍ଦୋଳନରୁ ଓହରିଥିଲେ।