ଜନ୍ମବେଦି ଯିବେ ଦାରୁଦିଅଁ

ପୁରୀ ଅଫିସ,୪ା୭: ସିଂହଦ୍ୱାରରେ ତିନିରଥ। ଭକ୍ତମୟ ହୋଇପଡ଼ିଛି ଶ୍ରୀକ୍ଷେତ୍ର। ରଥ, ପଥ, ଭକ୍ତ ସଭିଏଁ ପ୍ରସ୍ତୁତ। ଅପେକ୍ଷା କେବଳ କେତେବେଳେ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ଦାରୁଦିଅଁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ପାଇବେ ମହାପ୍ରଭୁଙ୍କ ଦୁର୍ଲଭ ଦର୍ଶନ। ଦାରୁବ୍ରହ୍ମଙ୍କ ସ୍ପର୍ଶରେ ରଥ, ପଥ ହେବ ବ୍ରହ୍ମମୟ। ସଭିଏଁ ହେବେ ଏକାକାର। ଆଉ ରଥାରୂଢ ହୋଇ ଜନ୍ମବେଦି ଯିବେ ଚତୁର୍ଦ୍ଧାବିଗ୍ରହ।
ଗୁରୁବାର ଆଷାଢ ଶୁକ୍ଳ ଦ୍ୱିତୀୟାରେ ରଥାରୂଢ ହୋଇ ଦାରୁଦିଅଁ ଯିବେ ଗୁଣ୍ଡିଚା ମନ୍ଦିର। ଅଣସର ପରେ ନବଯୌବନ ଦର୍ଶନ ଦେଇ ନବଦିନାତ୍ମକ ଯାତ୍ରାରେ ଯିବା ଲାଗି ପ୍ରସ୍ତୁତ ହେଉଛନ୍ତି ମହାବାହୁ। ଏଥିପାଇଁ ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। ବୁଧବାର ସକାଳ ୭ଟା ୩୫ରେ ମଙ୍ଗଳ ଆଳତି ପରେ ଅନ୍ୟାନ୍ୟ ନୀତି ହୋଇଥିଲା। ରଥଖଳାରୁ ତିନିରଥଙ୍କୁ ସିଂହଦ୍ୱାର ଆଣିବା ପାଇଁ ପୂର୍ବାହ୍ନ ସାଢ଼େ ୧୧ଟାରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ହେବାକୁ ନୀତିନିର୍ଘଣ୍ଟ ହୋଇଥିଲା। ଠିକ୍‌ ସମୟରେ ଆଜ୍ଞାମାଳ ରଥଖଳାରେ ପହଞ୍ଚତ୍ଥିଲା। ପ୍ରଥମେ ବଡ଼ଠାକୁର, ପରେ ଜଗନ୍ନାଥ ଓ ଶେଷରେ ସୁଭଦ୍ରାଙ୍କ ରଥରେ ଆଜ୍ଞାମାଳ ବିଜେ ହୋଇଥିଲା। ଏହାପରେ ମଧ୍ୟାହ୍ନ ୧୨ଟା ୩୬ରେ ରଥଖଳାରୁ ସିଂହଦ୍ୱାର ଅଭିମୁଖେ ରଥଟଣା ଆରମ୍ଭ ହୋଇଥିଲା। ପରମ୍ପରା ଅନୁଯାୟୀ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଏବଂ ଶେଷରେ ତାଳଧ୍ୱଜ ରଥ ସିଂହଦ୍ୱାରରେ ଲାଗିଥିଲା। ଏହାପରେ ତିନିରଥକୁ ଫୁଲରେ ସଜ୍ଜିତ କରାଯାଇଥିବାବେଳେ ରାତିରେ ଚାର ବନ୍ଧା ଯାଇ ରଥ ଉପରକୁ ସାରଥିଙ୍କୁ ନିଆଯାଇଥିଲା।
ସେପଟେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ପହୁଡ ଆଳତି ସରିବା ପରେ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଥିଲା। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ଲାଗି ବାହୁଟକଣ୍ଟ ଏବଂ ସେନାପଟା ଲାଗି କରିଥିଲେ। ଗୁରୁବାର ସକାଳ ୯ଟାରେ ରଥ ପ୍ରତିଷ୍ଠା ପରେ ମଙ୍ଗଳାର୍ପଣ ହୋଇ ୯ଟା ୩୦ରେ ପହଣ୍ଡି ଆରମ୍ଭ ହେବ। ମଧ୍ୟାହ୍ନ ୧୨ଟା ୩୦ରେ ରଥକୁ ମଦନମୋହନ ବିଜେ କରିବେ। ଅପରାହ୍ନ ୨ଟାରୁ ୩ଟା ମଧ୍ୟରେ ଛେରାପହଁରା ନୀତି ବଢ଼ି ୪ଟା ସୁଦ୍ଧା ରଥଟଣା ଆରମ୍ଭ ଲାଗି ନୀତିନିର୍ଘଣ୍ଟ ହୋଇଛି।