Categories: ପୁରୀ

ଜନ୍ମଦିନ ସଂଚିତ ଅର୍ଥ ଦାନ କଲେ ୪ ବର୍ଷିୟା ସୁହାନି

ଗୋପ,୨୮ା୪(ଡି.ଏନ.ଏ): କରୋନା ମୁକାବିଲା ପାଇଁ ସଂଗଠନ, ବିଶିଷ୍ଟ ବ୍ୟକ୍ତି ସରକାର ପାଣ୍ଠିକୁ ସହାୟତା କରୁଥିବାବେଳେ ମଙ୍ଗଳବାର ପୁରୀ ଜିଲା ଗୋପ ବ୍ଲକ ଅଞ୍ଚଳର ୪ ବର୍ଷିୟା ଶିଶୁକନ୍ୟା ସୁହାନି ନିଜ ଜନ୍ମଦିନ ପାଇଁ ସଞ୍ଚୟ କରି ରଖିଥିବା ଅର୍ଥକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିଛନ୍ତି। ମା ଭକ୍ତିମୟୀ, ବଡବାପା ଚୈତନ୍ୟ ସାହୁଙ୍କଠାରୁ ପ୍ରେରଣା ପାଇ ସୁହାନି ଏଭଳି କରିଥିବା କହିଛନ୍ତି। ୪ ବର୍ଷର ଏହି ଶିଶୁ ସୁବର୍ଣ୍ଣପୁର ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଅଧ୍ୟୟନ କରୁଥିବାବେଳେ ପ୍ରଥମରୁ ବଡ଼ ହେଲେ ଗରିବ ଲୋକଙ୍କ ସେବା କରିବାର ଶିକ୍ଷା ଅଙ୍ଗନଓ୍ବାଡ଼ି କର୍ମୀ ମାଧବୀ ବେହେରାଙ୍କଠାରୁ ଶିଖିଥିଲେ। ସେ ମଧ୍ୟ ଜନ୍ମଦିନ ଲାଗି ମା, ବାପା ଓ ବଡବାପାଠାରୁ ଖର୍ଚ୍ଚ ପାଇଁ ଆଣୁଥିବା ଟଙ୍କାକୁ ଘରେ ଗୋଟିଏ କୁସ୍ତିରେ ସଞ୍ଚୟ କରୁଥିଲେ। କରୋନା ଲାଗି ସମସ୍ତେ ଦାନ କରୁଥିବା ଦେଖି ଶିଶୁଟି ତା’ର ମାଆକୁ ଦାନ କରିବା କଥା କହିଥିଲେ। ଝିଅଠାରୁ ଏଭଳି କଥା ଶୁଣି ମାଆ ଅଙ୍ଗନବାଡ଼ି ଦିଦିଙ୍କ ସହ ଆସି ଗୋପ ତହସିଲଦାର ପୃଥ୍ବୀରାଜ ମଣ୍ଡଳଙ୍କୁ ୨ ହଜାର ଟଙ୍କାର ଗୋଟିଏ ଚେକ ଦେଇଥିଲେ। ଶିଶୁକନ୍ୟାର ଏହି ମହତ୍‌ ପଣିଆ ଦେଖି ଅନ୍ୟମାନଙ୍କ ଲାଗି ଏକ ଉଦାହରଣ ବୋଲି ତହସିଲଦାର କହିଥିଲେ।