ଜନସେବା କେନ୍ଦ୍ର ଖୋଲିବାରେ ଅନିୟମିତତା ମାସକ ପରେ ତଦନ୍ତ ଆରମ୍ଭ, ୩ ଜଣଙ୍କ ବୟାନ ରେକର୍ଡ

ଛତ୍ରପୁର,୩୧ା୧୨(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବାରେ ଅନିୟମିତତା ହୋଇଥିବା ପୂର୍ବରୁ ଜିଲାପାଳ ଓ ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା ା ସେ ସମୟରେ ଅଭିଯୋଗର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ମାସକ ପରେ ସୋମବାର ତଦନ୍ତ ଆରମ୍ଭ ହୋଇଛି ା
ତଦନ୍ତ ଦାୟିତ୍ୱରେ ଥିବା ଆସିଷ୍ଟାଣ୍ଟ କଲେକ୍ଟର (ଜୁଡିସିଆଲ) ଲିଲନ୍‌ ପ୍ରସାଦ ସାହୁ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ୩ ଜଣଙ୍କ ବୟାନ ରେକର୍ଡ କରିଛନ୍ତି। ଅନ୍ୟପକ୍ଷରେ ଟଙ୍କା ଆଦାୟ କରିଥିବା ଜିଲାପାଳଙ୍କ କାର୍ଯ୍ୟାଳୟର ଜିଲା ଇ-ଗଭର୍ନାନ୍ସ ଦାୟିତ୍ୱରେ ଥିବା କର୍ମଚାରୀ ବିଭିନ୍ନ ଲୋକଙ୍କ ଜରିଆରେ ଧମକ ଦେଉଥିବା ସୋମବାର ଜନସେବା କେନ୍ଦ୍ର ଆବେଦନକାରୀ ଓ ଅନ୍ୟମାନେ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହାର ସମସ୍ତ ପ୍ରମାଣ ମଧ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ଜନସେବା କେନ୍ଦ୍ର ଖୋଲିବା ପାଇଁ ମଞ୍ଜୁରୀ ଦେବା ନିମନ୍ତେ ଟଙ୍କା କାରବାର ହୋଇଥିବା ଓ ଏଥିପାଇଁ ଇ-ଗଭର୍ନାନ୍ସ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିବା ନେଇ ପୂର୍ବରୁ ଅତିରିକ୍ତ ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ୨ ତାରିଖରେ ଗଞ୍ଜାମ ଭିଏଲଇ ସୋସାଇଟି ପକ୍ଷରୁ ତକତ୍ାଳୀନ ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା ା ଉକ୍ତ ଅଭିଯୋଗର ତଦନ୍ତ ପାଇଁ ଆସିଷ୍ଟାଣ୍ଟ କଲେକ୍ଟରଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଏପରି କି ମଧ୍ୟବର୍ତ୍ତୀ ଚୁକ୍ତି ବନ୍ଦ କରିବା ପାଇଁ ମଧ୍ୟ ଦାବି କରାଯାଇଥିଲା ା ତେବେ ମାସକ ପରେ ତଦନ୍ତ ଆରମ୍ଭ ହୋଇଥିବା ଏବଂ ଚୁକ୍ତି ଚାଲିଥିବା ନେଇ ଅଭିଯୋଗକାରୀମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଅଭିଯୋଗକାରୀ ଓ ଟଙ୍କା ଟ୍ରାନ୍ସଫର କରାଯାଇଥିବା ଆକାଉଣ୍ଟଧାରୀଙ୍କୁ ବୟାନ ରେକର୍ଡ ପାଇଁ ନୋଟିସ୍‌ କରାଯାଇଥିବାବେଳେ ଯାହା ଉପରେ ଅଭିଯୋଗ ଆସିଛି ତାଙ୍କ ବୟାନ ମଧ୍ୟ ରେକର୍ଡ ହୋଇନି ା