ଜନବସତିରେ ଦନ୍ତା ଦୌରାତ୍ମ୍ୟ

ପରଜଙ୍ଗ, ୧୮।୮(ଡି.ଏନ୍‌.ଏ.)  ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦାନ୍ତ କଟାଯାଇଥିବା ଦନ୍ତା ହିଂସ୍ର ହୋଇଉଠିଛି। ଜନବସତିରେ ପଶି ହାତୀ ଦୌରାତ୍ମ୍ୟ ସୃଷ୍ଟି କରୁଛି। ସମ୍ମୁଖରେ ପଡୁଥିବା ଘରଦ୍ୱାର, ପାଚେରି କିଛି ବି ହାତୀ ମୁହଁରୁ ବାଦ୍‌ ପଡୁନାହିଁ। କନ୍ଦରସିଂହା ପଞ୍ଚାୟତ ମଝିକା ଗ୍ରାମରେ ଶୁକ୍ରବାର ରାତି ସାରା ହାତୀ ଉପଦ୍ରବ ସୃଷ୍ଟି କରିଛି। ଏଥିରେ ୯ ପରିବାର ବାସ ହରାଇଛନ୍ତି। ସେହିପରି ହାତୀ ଆକ୍ରମଣରେ ଏକ ଗାଈ ପ୍ରାଣ ହରାଇଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏହାକୁ ନେଇ ଅଞ୍ଚଳରେ ଭୟ ଆତଙ୍କର ବାତାବରଣ ଲାଗିରହିଛି।
ଡିହଡୋଳ ଫରେଷ୍ଟ ସେକ୍ସନରେ ୨୫ଟି ହାତୀ ବିଭିନ୍ନ ଦଳରେ ବିଭକ୍ତ ହୋଇ ଫସଲ ନଷ୍ଟ କରୁଛନ୍ତି। ହେଲେ ଦାନ୍ତ କଟାଯାଇଥିବା ନରହନ୍ତା ଦନ୍ତା ସବୁଠୁ ବେଶି ଉତ୍ପାତ କରୁଛି। ଦନ୍ତା ଉପଦ୍ରବରେ ଦୁଷ୍ମନ୍ତ ବିଶ୍ୱାଳ, ଭୀମ ବିଶ୍ୱାଳ, ମନୋଜ ବିଶ୍ୱାଳ, ବିନୋଦ ପ୍ରଧାନ, ଶଙ୍କର ପ୍ରଧାନ, ଚରଣ ପ୍ରଧାନ, ଗଣେଶ୍ୱର ପ୍ରଧାନଙ୍କ ଘର ଭାଙ୍ଗିଯାଇଛି। ନୃସିଂହ ପ୍ରଧାନଙ୍କ ଘର ଭାଙ୍ଗିଦେବା ସହ ଗୋଟିଏ ଗାଈକୁ ଆକ୍ରମଣ କରି କ୍ଷତାକ୍ତ କରିଦେଇଛି। ବାବାଜୀ ପ୍ରଧାନଙ୍କ ଘର ଭାଙ୍ଗିଦେବା ସହ ଗୋଟିଏ ଗାଈକୁ ଦଳି ମାରିଦେଇଛି। ହାତୀ ଆକ୍ରମଣରେ ଅକ୍ଷୟ ନାୟକ ଆହତ ହୋଇଛନ୍ତି।
ପରଜଙ୍ଗ ଅଞ୍ଚଳର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ହାତୀ ଭୟରେ ସନ୍ଧ୍ୟା ହେଲେ ଲୋକମାନେ ଘରୁ ପଦାକୁ ବାହାରି ପାରୁନାହାନ୍ତି। ବନ କର୍ମଚାରୀଙ୍କ ଉଦ୍ୟମ ସତ୍ତ୍ୱେ ହାତୀପଲ ଅଞ୍ଚଳ ଛାଡ଼ି ଯାଉନାହାନ୍ତି। ଏହା ଚାଷୀଙ୍କ ଚିନ୍ତା ବଢ଼ାଇଛି।
ଏ ନେଇ ରେଞ୍ଜର ହରମୋହନ ନାୟକ କୁହନ୍ତି, ଦନ୍ତା ଉପଦ୍ରବ ଚିନ୍ତା ବଢ଼ାଇଛି। ମୃତ ଗାଈର ବ୍ୟବଚ୍ଛେଦ କରାଯାଇଛି। କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।