ଜନପ୍ରତିନିଧିଙ୍କ ଶିକ୍ଷାଗତ ଯୋଗ୍ୟତା

ବୃହସ୍ପତି ସାମଲ

ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶର ଶାସନ ମଙ୍ଗ ସମ୍ଭାଳୁଥିବା ବିଧାୟକ ଓ ସାଂସଦଙ୍କ କୌଣସି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନ ରହିବା ଏକ ବିଡ଼ମ୍ବନାର ବିଷୟ। ସମ୍ବିଧାନର ଧାରା ୮୪, ଧାରା ୧୦୨, ଧାରା ୧୯୧, ଜନ ପ୍ରତିନିଧିତ୍ ଅଧିନିୟମ ୧୯୫୧ ଇତ୍ୟାଦିରେ ସାଂସଦ ଏବଂ ବିଧାୟକଙ୍କ ଯୋଗ୍ୟତା ଓ ଅଯୋଗ୍ୟତାକୁ ନେଇ ବିଶେଷ ସର୍ତ୍ତାବଳୀମାନ ଉଲ୍ଲେଖ ଥିଲେ ବି ଶିକ୍ଷାଗତ ଯୋଗ୍ୟତା ଉପରେ ଏସବୁ ନୀରବ। ଅବଶ୍ୟ ସଂସଦ ଚାହିଁଲେ ଉପରୋକ୍ତ ଆଇନରେ ସଂଶୋଧନ ଆଣି ସାଂସଦ ଏବଂ ବିଧାୟକଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରିପାରିବ। ହେଲେ, ସମ୍ବିଧାନ ପ୍ରସ୍ତୁତି ସମୟରୁ ଆଜିଯାଏ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲେ ମଧ୍ୟ ଏ ଦିଗରେ କୌଣସି କ୍ଷମତାସୀନ ସରକାର କିଛି ପଦକ୍ଷେପ ନେଇନାହାନ୍ତି।
ସାଧୀନତା ପ୍ରାପ୍ତି ପରେ ଭାରତର ସମ୍ବିଧାନ ୨୬ ଜାନୁଆରୀ ୧୯୫୦ରୁ ଲାଗୁ ହେଲା ଏବଂ ଭାରତର ପ୍ରଥମ ଲୋକ ସଭାର ସାଧାରଣ ନିର୍ବାଚନ ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃଆରୀ ୧୯୫୨ ମଧ୍ୟରେ ମୋଟ ୪୮୯ଟି ଆସନ ପାଇଁ ଅନୁଷ୍ଠିତ ହୋଇଥିଲା। ୧୯୫୧ରେ ଭାରତର ସାକ୍ଷରତା ହାର ମାତ୍ର ୧୮.୩୩% ଥିଲା; ଅର୍ଥାତ୍‌ ପ୍ରତ୍ୟେକ ଛଅ ଜଣରେ ପାଞ୍ଚଜଣ ନିରକ୍ଷର ଥିଲେ। ଜଣେ ନିର୍ବାଚିତ ଜନପ୍ରତିନିଧି ହେବାପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯଦିବା ମାଟ୍ରିକୁଲେସନ ସ୍ଥିର କରାଯାଇଥାନ୍ତା, ତେବେ ଏହି ହାର ଆହୁରି କମି ଯାଇଥାନ୍ତା। ତେଣୁ ସମ୍ବିଧାନରେ ଜଣେ ନିର୍ବାଚିତ ଜନପ୍ରତିନିଧି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ବିଧିବଦ୍ଧ ନିୟମ ପ୍ରଣୟନ କରି ସେହି ଆଧାରରେ ଜନପ୍ରତିନିଧିଙ୍କୁ ନିର୍ବାଚିତ କରାଯାଇଥିଲେ ଭାରତର ୮୨%ରୁ ଊର୍ଦ୍ଧ୍ୱ ନାଗରିକ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାର ସୁଯୋଗରୁ ବଞ୍ଚିତ ହୋଇଥାନ୍ତେ; ଯାହା ଗଣତନ୍ତ୍ର ପ୍ରତି ଅବମାନନା ହୋଇଥାନ୍ତା ନିଶ୍ଚୟ । ଅଧିକନ୍ତୁ, ଆନୁଷ୍ଠାନିକ ଶିକ୍ଷା ଜ୍ଞାନର ଏକମାତ୍ର ମାପକାଠି ନ ହୋଇପାରେ। ଗଣତନ୍ତ୍ରରେ ଲୋକଙ୍କର ମାନସିକତାକୁ ହୃଦୟଙ୍ଗମ କରି ସଫଳତାର ସହ କାର୍ଯ୍ୟ କରିବାକୁ ଆନୁଷ୍ଠାନିକ ଶିକ୍ଷା ଅପେକ୍ଷା ଅଧିକ ଅଭିଜ୍ଞତା, ନେତୃତ୍ୱ ନେବାର ଗୁଣାବଳୀ, ବିଶ୍ୱସନୀୟତା, ଉପଲବ୍ଧି, ଦୃଷ୍ଟିଭଙ୍ଗୀ ଏବଂ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱର ପ୍ରତିବଦ୍ଧତା ଭଳି ଅନେକ ଗୁଣର ଆବଶ୍ୟକତା ରହିଛି। ଆବ୍ରାହମ ଲିଙ୍କନ, ହାରି ଏସ୍‌ ଟ୍ରୁମ୍ୟାନ, ଜର୍ଜ ୱାଶିଂଟନ, ବେନଜାମିନ ଫ୍ରାଙ୍କଲିନ, ଆନ୍ଡ୍ରିଉ ଜାକ୍‌ସନଙ୍କ ଭଳି ବିଶ୍ୱର ବହୁ ନେତା ସେମାନଙ୍କର ସ୍ବଳ୍ପ ଆନୁଷ୍ଠାନିକ ଶିକ୍ଷା ସତ୍ତ୍ୱେ ସଫଳ ରାଜନୀତିଜ୍ଞ ହିସାବରେ ଲୋକପ୍ରିୟତାର ଶୀର୍ଷରେ ଅଛନ୍ତି। ତେଣୁ ପ୍ରାରମ୍ଭରୁ ଶିକ୍ଷିତ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦେଇଥିଲେ ତାହା ଜନସାଧାରଣଙ୍କ ଆତ୍ମବିଶ୍ବାସ ପ୍ରତି କୁଠାରାଘାତ ହେବା ସହ ଗଣତନ୍ତ୍ରରେ ସମାନତାର ଅଧିକାରକୁ କ୍ଷୁଣ୍ଣ କରିଥାନ୍ତା ନିଶ୍ଚୟ। କିନ୍ତୁ, ସ୍ବାଧୀନ ଭାରତରେ ସାକ୍ଷରତା ହାରରେ ନିଶ୍ଚୟ ଅଭିବୃଦ୍ଧି ହେବ, ସମ୍ଭବତଃ ଆମର ଦୂରଦ୍ରଷ୍ଟା ସମ୍ବିଧାନ ପ୍ରଣେତାମାନଙ୍କୁ ଏକଥା ଜଣାଥିଲା। ତେଣୁ ଭବିଷ୍ୟତରେ ସାଂସଦ ଏବଂ ବିଧାୟକଙ୍କ ଯୋଗ୍ୟତା ଓ ଅଯୋଗ୍ୟତାର ସର୍ତ୍ତାବଳୀମାନ ସଂଶୋଧନ କଲାବେଳେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା କଥା ମଧ୍ୟ ବିଚାରକୁ ନେବାପାଇଁ ସମ୍ବିଧାନରେ ସଂସଦକୁ ଅଖଣ୍ଡ କ୍ଷମତା ପ୍ରଦାନ କରାଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହରିୟାଣା ସରକାର ୨୦୧୫ରେ ସରପଞ୍ଚ ଏବଂ ପଞ୍ଚାୟତ ସମିତି ଓ ଜିଲା ପରିଷଦ ସଭ୍ୟ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀ (ତଫସିଲଭୁକ୍ତ ଜାତି ଓ ମହିଳାଙ୍କ ପାଇଁ ପୂର୍ବ ମାଧ୍ୟମିକ) ନିର୍ଦ୍ଧାରିତ କରି ପଞ୍ଚାୟତିରାଜ (ସଂଶୋଧନ) ଅଧିନିୟମ ୨୦୧୫ ଦ୍ୱାରା ଯେଉଁ ନ୍ୟାୟିକ ପ୍ରାବଧାନ ଆଣିଥିଲେ, ପରବର୍ତ୍ତୀ ଅଧ୍ୟାୟରେ ତାହା ବିରୋଧରେ ଉଚ୍ଚତମ ନ୍ୟାୟାଳୟରେ ଆପତ୍ତି କରାଯାଇଥିଲା (ରାଜବାଳା ବନାମ ହରିୟାଣା ରାଜ୍ୟ ସରକାର, ୨୦୧୬)। ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ଆବଶ୍ୟକତା ସପକ୍ଷରେ ଯୁକ୍ତିବାଢି ଉଚ୍ଚତମ ନ୍ୟାୟାଳୟ କହିଥିଲେ କି କେବଳ ଶିକ୍ଷା ହିଁ ମଣିଷକୁ ଠିକ ଓ ଭୁଲ୍‌, ଭଲ ଓ ମନ୍ଦ ଭିତରେ ବାଛବିଚାର କରିବାକୁ କ୍ଷମତା ପ୍ରଦାନ କରିଥାଏ। ନିର୍ବାଚିତ ପ୍ରତିନିଧିମାନଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ରହିବା ଜରୁରୀ, ଯାହା ସେମାନଙ୍କୁ ସେମାନଙ୍କର ଉତ୍ତରଦାୟିତ୍ୱକୁ ଅଧିକ ସଫଳତାର ସହ ନିର୍ବାହ କରିବା ପାଇଁ ସକ୍ଷମ କରିବ। ତେଣୁ ନିର୍ବାଚିତ ପ୍ରତିନିଧିମାନଙ୍କ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ପ୍ରାବଧାନ ଉତ୍ତମ ପ୍ରଶାସନ ଦୃଷ୍ଟିରୁ ଆଦୌ ଅପ୍ରାସଙ୍ଗିକ ବା ଅଯୌକ୍ତିକ ନୁହେଁ। ପଞ୍ଚାୟତ ସ୍ତରରେ ସରପଞ୍ଚ ଏବଂ ସମିତି ସଭ୍ୟମାନଙ୍କର ସୀମିତ କାର୍ଯ୍ୟାବଳୀ ପାଇଁ ଯେତେବେଳେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାର ପ୍ରାବଧାନକୁ ଉଚ୍ଚତମ ନ୍ୟାୟାଳୟ ଠିକ ବୋଲି ମତପୋଷଣ କରିଛନ୍ତି, ରାଜ୍ୟ ଓ ଜାତୀୟ ସ୍ତରରେ ଦେଶ ଓ ଦଶର ଉନ୍ନତି ପାଇଁ ପ୍ରମୁଖ ନିୟମ ପ୍ରଣୟନ ସହ ବିଧି ମୁତାବକ ବିଭିନ୍ନ ରାଜନୈତିକ, ଅର୍ଥନୈତିକ ଓ ସାମାଜିକ ଦାୟିତ୍ୱବୋଧ ତୁଲେଇବାକୁ ବିଧାୟକ ତଥା ସାଂସଦଙ୍କ ନିମନ୍ତେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯେ ନିହାତି ଜରୁରୀ କହିଲେ ଅତ୍ୟୁକ୍ତି ହେବନାହିଁ।
୧୯୫୧ ତୁଳନାରେ ବର୍ତ୍ତମାନ ଭାରତର ସ୍ଥିତି ଅନେକାଂଶରେ ଉନ୍ନତ। ୧୯୮୧ର ସାକ୍ଷରତା ହାର ୪୦.୭୬%ରୁ ବୃଦ୍ଧି ପାଇ ୨୦୧୮ ବେଳକୁ ୭୪.୩୭ରେ ପହଞ୍ଚିସାରିଥିଲା। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ତଥ୍ୟ ଅନୁସାରେ ୨୦୨୧ ସୁଦ୍ଧା ଭାରତର ହାରାହାରି ସାକ୍ଷରତା ହାର ୭୭.୭୦%। ଏବର୍ଷ ଏହା ୮୫.୯୫%କୁ ଛୁଇଁବାର ଆଶା। ପିଆର୍‌ଏସ୍‌ ଲେଜିସଲେଟିଭ ରିସର୍ଚ୍ଚର ସର୍ବେକ୍ଷଣ ଅନୁଯାୟୀ ୨୦୧୪ ସାଧାରଣ ନିର୍ବାଚନରେ ଜିତି ଥିବା ମାତ୍ର ୧୩% ସାଂସଦ ମାଟ୍ରିକ୍ୟୁଲେସନ ଉତ୍ତୀର୍ଣ୍ଣ ହୋଇ ନ ଥିଲେ। ଶାସକ ଭାଜପା ଓ ବିରୋଧୀ କଂଗ୍ରେସ ଦଳର କଥା ଆଲୋଚନା କଲେ ଜଣାଯାଏ ଯେ ଭାଜପାର ୧୦% ସାଂସଦ ଦଶମ ପାସ୍‌ କରିଥିଲା ବେଳେ, କଂଗ୍ରେସର ୨% ଏବଂ ଭାଜପାର ୧୦% ଦ୍ୱାଦଶ ପାସ୍‌ ଥିଲା ବେଳେ, କଂଗ୍ରେସର ୧୬%। ସେହିଭଳି ଭାଜପାର ୨୩% ସାଂସଦ ସ୍ନାତକ ଥିଲା ବେଳେ, କଂଗ୍ରେସର ୧୪% ଏବଂ ଭାଜପାର ୨୫% ସାଂସଦ ସ୍ନାତକୋତ୍ତର ଥିଲା ବେଳେ, କଂଗ୍ରେସର ୩୪%। ସେହିଭଳି ୨୦୧୯ ନିର୍ବାଚନରେ ଜିତି ଥିବା ସାଂସଦଙ୍କ ମଧ୍ୟରୁ ୪୩% ସ୍ନାତକ, ୨୫% ସ୍ନାତକୋତ୍ତର ଏବଂ ୪% ଡକ୍ଟରେଟ ଡିଗ୍ରୀଧାରୀ। ତେଣୁ ଶିକ୍ଷିତମାନଙ୍କ ଭାଗୀଦାରି ନିର୍ବାଚନରେ ବଢ଼ିଚାଲିଥିବାବେଳେ, ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ଥିର କରିବାରେ ଏବେ ହୁଏତ କିଛି ଅସୁବିଧା ହୋଇ ନ ପାରେ। ଏହି ପରିପ୍ରେକ୍ଷୀରେ ଜନପ୍ରତିନିଧିଙ୍କର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଆବଶ୍ୟକୀୟ ସମ୍ବିଧାନ ସଂଶୋଧନ ଏକାନ୍ତ ଅପରିହାର୍ଯ୍ୟ।
ପଦ୍ମପୁର (ଆନନ୍ଦପୁର), କେନ୍ଦୁଝର
ମୋ: ୯୪୩୭୦୨୨୬୬୯


Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri