Categories: ଗଞ୍ଜାମ

ଜନଗହଳିପୂର୍ଣ୍ଣ ଛକ ପରିଦର୍ଶନ କଲେ ଟ୍ରାଫିକ ଡିଏସ୍‌ପି : ଭୁଲ ରାସ୍ତାରେ ଗଲେ, ବାଇକ୍‌ରେ ୩ ଜଣ ବସିଲେ କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ,୧୪ା୧୧-ବ୍ରହ୍ମପୁର ସହରର ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଏଣିକି ବିଭାଗ ପକ୍ଷରୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବ ା ବ୍ରହ୍ମପୁର ମହାନଗର ନିଗମ(ବିଏମସି) ପକ୍ଷରୁ ସହରର ପ୍ରମୁଖ ୫ ଛକରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଟିଏମଏସ) କାର୍ଯ୍ୟକାରୀ ହୋଇଛି। ଭୁଲରାସ୍ତା(ରଙ୍ଗସାଇଡ)ରେ ଗଲେ, ବାଇକ୍‌ରେ ୩ ଜଣ ବସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରାଫିକ ଡିଏସପି ସାର୍ଥକ ରାଏ କହିଛନ୍ତି ା ବୁଧବାର ଟ୍ରାଫିକ ଡିଏସପି ରାଏ ଓ ବିଏମସି ଏନଫୋର୍ସମେଣ୍ଟ ଅଫିସର ତରୁଣକାନ୍ତ ସହରର ଜନଗହଳିପୂର୍ଣ୍ଣ ବିଭିନ୍ନ ଛକ ପରିଦର୍ଶନ କରି ଟ୍ରାଫିକ ସମସ୍ୟା ଅନୁଧ୍ୟାନ କରିଥିଲେ ା ବ୍ରହ୍ମପୁର ଗେଟବଜାର, ସାନବଜାର, ଆସ୍କାରୋଡ, ବାଲୁଙ୍କେଶ୍ୱର ମନ୍ଦିର, ସିଟି ହସପିଟାଲ ରୋଡ, ପୁରୁଣା ବ୍ରହ୍ମପୁର, ହନୁମାନ ବଜାର ଆଦି ଛକ ଉଭାୟ ପରିଦର୍ଶନ କରିଥିଲେ ା ଏଣିକି ଚିହ୍ନଟ ଲାଇନ ବାହାରେ ଗାଡି ପାର୍କିଂ କଲେ ଜରିମାନା ଆଦାୟ କରାଯିବା। ଗେଟବଜାର, ଗିରିମାର୍କେଟ ଛକ, ସାନବଜାର ଆଦିରେ ରାସ୍ତା ପାର୍ଶ୍ୱରେ ବସୁଥିବା ଉଠାଦୋକାନୀଙ୍କୁ ବିଏମସି ପକ୍ଷରୁ ନିର୍ମିତ ଓପନ ଭେଣ୍ଡିଂ ଜୋନଗୁଡିକୁ ସ୍ଥାନାନ୍ତର କରିବା ଉପରେ ମଧ୍ୟ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଡିଏସପି ସୂଚନା ଦେଇଛନ୍ତି ା ରୁକ୍ମିଣୀଛକରୁ ମୟୁରୀଟାୱାର ରାସ୍ତାରେ ଓଡିଆରପି ଡ୍ରେନେଜ, ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବାରୁ ଗୁରୁବାରଠାରୁ ଏହି ରାସ୍ତାକୁ ୱାନ ୱେ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ା ଏଥିସହ ଛକ ଅନୁସାରେ ଆଇଟିଏମଏସ ଟ୍ରାଫିକ ସିଗନାଲ ଟାଇମରେ ପରିବର୍ତ୍ତନ କରିବା ନେଇ ମଧ୍ୟ ନିଗମ କମିଶନର ଚକ୍ରୱର୍ତୀ ସିଂ ରାଠୋରଙ୍କ ସହ ଡିଏସପି ଆଲୋଚନା କରିଥିବା କହିଛନ୍ତି ା ତେବେ ଚଳିତମାସଠାରୁ କେବଳ ଇନ୍ସୁରାନ୍ସ, ପଲ୍ୟୁସନ ସାର୍ଟିିିଫିକେଟ ଯାଞ୍ଚକୁ ବାଦ ଦେଇ ହେଲମେଟ ପିନ୍ଧୁ ନ ଥିବା, ଟ୍ରିପଲ ରାଇଡିଂ ଓ ରଙ୍ଗସାଇଡ ରାଇଡିଂ କରୁଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଏସପି କହିଛନ୍ତି ା