Categories: ଗଞ୍ଜାମ

ଜଣକୁ ହେଲେ ୧୦ ଜଣଙ୍କୁ ସଂକ୍ରମିତ ଆଶଙ୍କା

ଫୁଲବାଣୀ ଅଫିସ,୨୭ା୪- କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଶ୍ୱ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ସମୀର କୁମାର ଦାସ ଯୋଗଦେଇ ମ୍ୟାଲେରିଆ ଅଞ୍ଚଳରେ ସ୍ବତନ୍ତ୍ର ଦୃଷ୍ଟି ଦେବା ଉପରେ ଗୁରୁତ୍ୱାରୋପ କରି ଆଶା, ଅଙ୍ଗନୱାଡ଼ି କର୍ମୀ, ଗାଁ କଲ୍ୟାଣ ସମିତି, ଏଏନଏମ୍‌ ମାନଙ୍କୁ ସଚେତନତା କାର୍ଯ୍ୟରେ ସାମିଲ କରିବାକୁ ପରାମର୍ଶ ଦେଇଥିଲେ। ଜିଲା ମ୍ୟାଲେରିଆ ଅଧିକାରୀ ଡା. କଳ୍ପନା ଦଳେଇ ଏବଂ ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡା. ପ୍ରଶାନ୍ତ କୁମାର ତ୍ରିପାଠୀ ମ୍ୟାଲେରିଆର କାରଣ, ଭୟାବହତା, ନିରାକରଣ ସମ୍ପର୍କରେ କହିଥିଲେ। ଚଳିତବର୍ଷର ବାର୍ତ୍ତା ‘ମ୍ୟାଲେରିଆ ମୁକ୍ତ ଅଭିଯାନ ମୋ ଠାରୁ ଆରମ୍ଭ ହେଉ’ ଉପରେ ମଧ୍ୟ ଆଲୋଚନା କରିଥିଲେ। ଭେକ୍ଟରବାହିତ ରୋଗ ପରାମର୍ଶଦାତା କୁମୁଦ ଚନ୍ଦ୍ର ସାହୁ ପାୱାର ପଏଣ୍ଟ ମାଧ୍ୟମରେ ମ୍ୟାଲେରିଆ ନିରାକରଣ ପାଇଁ ବିଭିନ୍ନ କାର୍ଯ୍ୟ, ବାର୍ତ୍ତା, ସଂକ୍ରମଣ ସମ୍ବନ୍ଧୀୟ ତଥ୍ୟ, ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଜଣଙ୍କୁ ମ୍ୟାଲେରିଆ ହେଲେ ୧୦ ଜଣଙ୍କୁ ସଂକ୍ର୍ରମିତ ହେବା ଆଶଙ୍କା ରହିଛି। ଏଣୁ ପ୍ରାଥମିକ ଅବସ୍ଥାରେ ଚିହ୍ନଟ ଓ ସମ୍ପୂର୍ଣ୍ଣ ଚିକିତ୍ସାର ଆବଶ୍ୟକତା ରହିଛି। ୨୦୧୮ରେ ୨ ଲକ୍ଷ ୪୧ ହଜାର ୯୯୬ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ୪ ହଜାର ୬୯୮ ଜଣଙ୍କୁ ମ୍ୟାଲେରିଆ ସଂକ୍ରମିତ ହୋଇଛନ୍ତି। ୨୦୧୭ରେ ୩୫ ହଜାର ୬୫୪ ଜଣ ସଂକ୍ରମିତଙ୍କ ମଧ୍ୟରୁ ମାତ୍ର ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୨୦୧୮ରେ ଜଣଙ୍କର ବି ମୃତ୍ୟୁ ଘଟିନାହିଁ। ୨୦୧୯ ମାର୍ଚ୍ଚ ସୁଦ୍ଧା ୫୧ ହଜାର ୨୮୧ ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ ୩୭୫ ଜଣଙ୍କ ମ୍ୟାଲେରିଆ ପଜେଟିଭ୍‌ ଥିବା ଜଣାପଡ଼ିଛି। ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।