Categories: ଜାତୀୟ

ଜଟିଳ ହେଉଛି କରୋନା ସ୍ଥିତି: ସହଯୋଗର ହାତ ବଢ଼ାଇଲା ଭାରତ

ବେଜିଂ/ନୂଆଦିଲ୍ଲୀ/ ପଣଜୀ, ୧୦ା୨(ପି.ଟି.): ଦିନକୁ ଦିନ କ୍ରମଶଃ ଜଟିଳ ହେବାରେ ଲାଗିଛି କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି। ଚାଇନାରେ ଏପର୍ଯ୍ୟନ୍ତ ଏହି ଭୂତାଣୁ ସଂକ୍ରମଣରେ ୮୧୧ ଜଣ ପ୍ରାଣ ହରାଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୩୭,୧୯୮କୁ ବୃଦ୍ଧି ପାଇଛି। ଦିନ କେଇଟା ମଧ୍ୟରେ ଏତେ ମୁଣ୍ଡ ନେବା ପରେ ମଧ୍ୟ ଏହା ଅଟକିବାର ନାଁ ନେଉନାହିଁ। ଚାଇନାର ପ୍ରାୟ ସବୁ ପ୍ରଦେଶକୁ ଏହା ବ୍ୟାପିଥିବାବେଳେ ୨୭ ଦେଶ କରୋନା ଭାଇରସ୍‌ ସଂକ୍ରମଣର ଶିକାର ହେଲାଣି। ଏଭଳି ସ୍ଥିତିରେ ଚାଇନାକୁ ସହଯୋଗ କରିବା ଲାଗି ଭାରତ ହାତ ବଢ଼ାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଜି. ଜିନ୍‌ପିଙ୍ଗଙ୍କୁ ଚିଠି ଲେଖି ସମସ୍ତ ସହଯୋଗ ଓ ପରିସ୍ଥିତିର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ଥିବା କହିଛନ୍ତି। ଚିଠିରେ ମୋଦି ମୃତକଙ୍କ ଲାଗି ସମବେଦନା ଜଣାଇଥିବାବେଳେ ହୁବେଇ ପ୍ରଦେଶରୁ ୬୫୦ ଭାରତୀୟଙ୍କୁ ଛାଡ଼ିବାରେ ସହଯୋଗ କରିଥିବାରୁ ପ୍ରଶଂସା କରିଛନ୍ତି। ପ୍ରକାଶଥାଉ କି, ୩ ଦିନ ତଳେ ଚାଇନା ରାଷ୍ଟ୍ରଦୂତ ସନ୍‌ ଓ୍ବେଇଡଙ୍ଗ୍‌ ଏକ ସାକ୍ଷାତ୍‌କାରରେ ଭାରତ ସହ ମିଶି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଚାଇନା ଇଚ୍ଛୁକ ଥିବା କହିଥିଲେ। ଅନ୍ୟପକ୍ଷରେ ଭାରତ ପକ୍ଷରୁ ଚାଇନାକୁ ଯିବା ଆସିବା ଉପରେ ନାଗରିକଙ୍କ ଉପରେ କଟକଣା ଲଗାଯାଇଥିବା ବେଳେ କରୋନା ସଂକ୍ରମଣକୁ ରୋକିବା ଲାଗି ପ୍ରୟାସ କରାଯାଇଛି। କେରଳରେ କରୋନା ଭାଇରସ୍‌ ରୋଗୀ ଚିହ୍ନଟ ହେବା ପରଠାରୁ ଭାରତ ଏନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିଆସୁଛି।
ଚାଇନାରେ ସ୍ଥିତି ଭୟଙ୍କର ଥିବାବେଳେ ସେଠାରୁ ରବିବାର ଗୋଆ ଆସିବାକୁ ଥିବା ପ୍ରତିନିଧିମାନଙ୍କ ଗସ୍ତକୁ ସ୍ଥଗିତ ରଖାଯାଇଛି। ଗୋଆ ପର୍ଯ୍ୟଟନ ଶିଳ୍ପ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରାଭେଲ ଆଣ୍ଡ୍‌ ଟୁରିଜମ୍‌ ଆସୋସିଏଶନ୍‌ ଅଫ୍‌ ଗୋଆ(ଟିଟିଏଜି) ଅଧ୍ୟକ୍ଷ ସାଭିଓ ମେସିଆସ୍‌ ପ୍ରକାଶ କରିଛନ୍ତି। ଚାଇନା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଓ ଗୋଆକୁ ଚାଇନାରେ ଏକ ବୃହତ ପର୍ଯ୍ୟଟନ ଶିଳ୍ପର ମାନ୍ୟତା ଦେବା ଲାଗି ଏଭଳି ପ୍ରସ୍ତୁତି କରାଯାଇଥିଲା। ହେଲେ କରୋନା ସ୍ଥିତି ଉଦ୍‌ବେଗଜନକ ହେବାରୁ ଚାଇନା ପ୍ରତିନିଧିଙ୍କ ଗୋଆ ଗସ୍ତକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି।

Share