ଜଙ୍ଗଲ ନିଅଁା: କାରଣ ଓ ନିରାକରଣ

ଅଲେଖ ଚନ୍ଦ୍ର ସାମଲ
ସର୍ବଭାରତୀୟ ସ୍ତରରେ ଜଙ୍ଗଲ ନିଅଁାରେ ଛତିଶଗଡ଼ର ସ୍ଥାନ ପ୍ରଥମ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ସର୍ବଭାରତୀୟ ଫରେଷ୍ଟ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ ଏପ୍ରିଲ ୨୪ ତାରିଖ ସୁଦ୍ଧା ପ୍ରଦତ୍ତ ତଥ୍ୟ ଅନୁଯାୟୀ ଓଡ଼ିଶାର ସ୍ଥାନ ଦ୍ୱିତୀୟ ରହିବା ସହ ୨୩୪୯ଟି ଜଙ୍ଗଲରେ ନିଅଁା ଲାଗିବା ମାମଲା ରହିଛି। ୨୨୩୮ଟି ମାମଲା ଥିବା ମଧ୍ୟପ୍ରଦେଶର ସ୍ଥାନ ତୃତୀୟ। ସମ୍ପ୍ରତି ଲୋକ ସଭାରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁଯାୟୀ ୨୦୧୩ରୁ ୨୦୧୬, ୨୪ ଏପ୍ରିଲ ସୁଦ୍ଧା ଦେଶରେ ୭୪୧୦୯ଟି ଜଙ୍ଗଲରେ ନିଅଁା ଲାଗିବା ଘଟଣା ପଞ୍ଜୀକୃତ ହୋଇଛି।
ବାତ୍ୟା ଫନୀ ପରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ଅନେକ ସ୍ଥାନରେ ଅସଂଖ୍ୟ ଛୋଟବଡ଼ ଗଛ ଭୂମିସାତ୍‌ ହୋଇଯାଇଛି। ପ୍ରଖର ଖରାରେ ସେଗୁଡ଼ିକ ଭୂମିରେ ପଡ଼ି ଶୁଖିଯିବାରୁ କେହି କେହି ଜାଳେଣି ଭାବେ ଏହାକୁ ବ୍ୟବହାର ନ କରି ବରଂ ନିଅଁା ଲଗାଇ ଦେଉଛନ୍ତି, ଯାହାକି ଭୟାନକ ତାତି ସୃଷ୍ଟି କରିବା ସହ ପରିବେଶକୁ ଉତ୍ତପ୍ତ କରିଦେଉଛି। ଜଙ୍ଗଲ ନିଅଁାରେ ସାରା ରାଜ୍ୟ ଅଂଶୁଘାତ ତାତି ସହ ଭୟାନକ ଦାବାନଳର ଲେଲିହାନ ଅଁା ଭିତରେ। ୪୦ଡିଗ୍ରୀ ଉପରେ ପ୍ରାୟତଃ ରହୁଥିବା ଗ୍ରୀଷ୍ମର ଅସହ୍ୟ ତାତି ସହ ଜଙ୍ଗଲ ନିଅଁା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ପ୍ରତିବର୍ଷ ଏହି ଗ୍ରୀଷ୍ମ ସମୟରେ ରାଜ୍ୟର ବିଭିନ୍ନ ପ୍ରମୁଖ ଜଙ୍ଗଲରେ ନିଅଁା ଲାଗେ। ଜଙ୍ଗଲ ବିଭାଗ, ସ୍ଥାନୀୟ ପ୍ରଶାସନ ଉଦ୍ୟମ କରି କିଛିଟା ପ୍ରଶମିତ କରିଥାନ୍ତି। କିନ୍ତୁ ଗତ ବର୍ଷ ଓଡ଼ିଶା ଜଙ୍ଗଲ ନିଅଁାରେ ଭାରତରେ ଦ୍ୱିତୀୟ ସ୍ଥାନର କୁଖ୍ୟାତି ଅର୍ଜିଛି। ଓଡ଼ିଶାର ଜଙ୍ଗଲରେ ହଜାର ହଜାର ହେକ୍ଟର ପରିମିତ ସ୍ଥାନରେ ଔଷଧୀୟ ବୃକ୍ଷ ରହିଛି। ଏଥିସହିତ ମୟୂରଭଞ୍ଜ, କନ୍ଧମାଳ, ବଲାଙ୍ଗୀର, ଢେଙ୍କାନାଳରେ ଜଙ୍ଗଲ ନିଅଁା ଗ୍ରାମବସତିକୁ ମାଡ଼ି ଆସି କିଛି ଘର ମଧ୍ୟ ତା’ପେଟ ଭିତରେ ସ୍ବାହା କରିସାରିଲାଣି।
ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ପ୍ରଦତ୍ତ ତଥ୍ୟ ଅନୁଯାୟୀ ରାଜ୍ୟର ୬୦ଟି ବନ ଡିଭିଜନ ଭିତରୁ ଦଶଟି ଅଧିକ ସମ୍ବେଦନଶୀଳ ରହିଛି। ପ୍ରତିବର୍ଷ ନୟାଗଡ଼, କନ୍ଧମାଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ମୟୂରଭଞ୍ଜ ପରି ଦଶଟି ବନଖଣ୍ଡରେ ନିଅଁା ଲାଗିଥାଏ ଏବଂ ଏହାକୁ ନେଇ ଜଙ୍ଗଲ ବିଭାଗ ମଧ୍ୟ ସେହି ଅନୁରୂପରେ ପ୍ରସ୍ତୁତି ରଖିଥାଏ। ତେବେ ପ୍ରତିବର୍ଷ ଏହାର ଆୟତନ ଓ କ୍ଷେତ୍ରଫଳ ବଢ଼ୁଛି, ଯାହାକି ସବୁ ମହଲରେ ଉଦ୍‌ବେଗକୁ ବଢ଼ାଉଛି। ପରିବେଶ ବିଜ୍ଞାନୀଙ୍କଠାରୁ ଉଦ୍ଭିଦବିଜ୍ଞାନୀ ଆଉ ପଶୁପ୍ରେମୀଙ୍କ ଭିତରେ ଏ ନେଇ ଉଦ୍‌ବେଗ ବଢ଼ୁଥିଲେ ବି ପ୍ରଶାସନିକ କ୍ଷେତ୍ରରେ ନିଦାବିଷ୍ଣୁ ଚିନ୍ତନ ସେମାନଙ୍କର ଅସହାୟତାକୁ ପ୍ରକାଶ କରୁଛି। ଗତ ଏକମାସ ଭିତରେ ରାଜ୍ୟର ବିଭିନ୍ନ ଜଙ୍ଗଲର ପ୍ରାୟ ୨୫୦ଟି ସ୍ଥାନରେ ନିଅଁା ଲାଗିଛି। ମୂଲ୍ୟବାନ ବୃକ୍ଷରାଜି ସହ ଔଷଧୀୟ ଓ ଦୁଷ୍ପ୍ରାପ୍ୟ ଗଛ ଏବଂ ଛୋଟବଡ଼ ବିଭିନ୍ନ ପ୍ରଜାତିର ସରୀସୃପ ପୋଡ଼ି ନଷ୍ଟବିନଷ୍ଟ ହେଉଛନ୍ତି। ସ୍ବାଭାବିକ ଭାବେ ହାତୀ, ଜଙ୍ଗଲୀ ବାର୍‌ହା, ଭାଲୁ, ହେଟାବାଘ ଓ କେତେକ କ୍ଷେତ୍ରରେ ବାଘ ମଧ୍ୟ ଏହି ତାପକୁ ସହି ନ ପାରି ଜନବସତିମୁହଁା ହେଉଛନ୍ତି, ଯାହା ପାଇଁ ସାଧାରଣରେ ଭୟାନକ ପରିସ୍ଥିତି ସୃଷ୍ଟି ହେଉଛି। ସରକାରୀ ତଥ୍ୟ ଅନୁଯାୟୀ ସାରା ରାଜ୍ୟରେ ନିଅଁା ଲିଭାଇବା ପାଇଁ ୨୧୬ଟି ଫାୟାର ସ୍କ୍ବାଡ୍‌ ନିୟୋଜିତ ହେବା ସହ ୧୨,୫୬୨ ବନ ସୁରକ୍ଷା ସମିତି ସହାୟତାରେ ବ୍ୟାପକ କାର୍ଯ୍ୟକ୍ରମ ନିଆଯାଉଛି।
ପରିବେଶବିତ୍‌ଙ୍କ ମହଲରୁ ସଂଗୃହୀତ ତଥ୍ୟ ଅନୁଯାୟୀ ଗତବର୍ଷ ଏଲ୍‌ନିନୋ ପ୍ରଭାବ ଯୋଗୁ ଚଳିତବର୍ଷ ତାପମାତ୍ରା ବଢ଼ିଛି, ଯାହାର ପ୍ରଭାବରେ ଜଙ୍ଗଲରେ ନିଅଁା ଲାଗୁଛି। କେତେକ କ୍ଷେତ୍ରରେ ଗଛରେ ଗଛ ଘଷିହେବା ସହ ପତ୍ରରେ ନିଅଁା ଲାଗି ଜଙ୍ଗଲକୁ ବ୍ୟାପୁଛି, ଆଉ କେତେକ କ୍ଷେତ୍ରରେ ସ୍ଥାନୀୟ ଆଦିବାସୀମାନେ ସେମାନଙ୍କର ଲୋକବିଶ୍ୱାସକୁ ନେଇ ପୋଡ଼ୁଚାଷ ପାଇଁ ଜଙ୍ଗଲରେ ନିଅଁା ଲଗାଇଥାନ୍ତି। ସେହିପରି ଆଉ କେତେକ କ୍ଷେତ୍ରରେ କିଛି ଅସାମାଜିକ ଲୋକ ଜଙ୍ଗଲରେ ମଉଜମଜ୍‌ଲିସ୍‌ କରି ନିଅଁା ପକାଉଥିବାରୁ ଏହା ବ୍ୟାପିଥାଏ। ଶିକାରୀମାନେ ମଧ୍ୟ ଜଙ୍ଗଲରେ ନିଅଁା ଲଗାଇ ଜନ୍ତୁ ଶିକାର କରୁଥିବାର ନଜିର ରହିଛି। କେତେକ କ୍ଷେତ୍ରରେ ବନ କର୍ମଚାରୀ ଓ ଶିକାରୀଙ୍କ ଭିତରେ ସଲାସୁତରା ନେଇ ଜଙ୍ଗଲ ନିଅଁା ବଢ଼ୁଥିବାର ଅଭିଯୋଗ ହେଉଛି। ଜଙ୍ଗଲରେ ପ୍ରତିବର୍ଷ ନିଅଁା ଲାଗି ବ୍ୟାପକ ଜଙ୍ଗଲ ସମ୍ପତ୍ତି ନଷ୍ଟ ହେବା ସହ ପ୍ରାକୃତିକ ପରିବେଶ ଯେପରି ପ୍ରଦୂଷଣକୁ ସାମ୍ନା କରୁଛି ତାହା ଅଚିନ୍ତନୀୟ। ନିଅଁା କବଳରୁ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପୃଥିବୀର ବିଭିନ୍ନ ରାଷ୍ଟ୍ର ଯଥା ମ୍ୟାନ୍‌ମାର, ଚାଇନା, ରୁଷ, ଆମେରିକା ଓ ଜାପାନରେ ଯେପରି ସ୍ବତନ୍ତ୍ର ବ୍ୟବସ୍ଥା ରହିଛି ସେ ସବୁ ଆପଣାଇବାର ସମୟ ଆସିଛି। ସେହିପରି ନିଅଁା ଲିଭାଇବାର କୌଶଳ ମଧ୍ୟ ସ୍ଥାନୀୟ ଆଦିବାସୀଙ୍କ ସହ ଜଙ୍ଗଲ ସନ୍ନିକଟ ଅଧିବାସୀଙ୍କୁ ଶିଖାଇବା ଜରୁରୀ। ଯେଉଁମାତ୍ରାରେ ଦିନକୁ ଦିନ ଗଛ କଟାଯାଇ ବଡ଼ ବଡ଼ ସୁରମ୍ୟ ଅଟ୍ଟାଳିକା ତିଆରି ହେଉଛି ସେ କ୍ଷେତ୍ରରେ କେତେ ପରିମାଣର ବୃକ୍ଷରୋପଣ ହେଉଛି?
ଜଙ୍ଗଲ କ୍ଷେତ୍ର ଛାଡ଼ନ୍ତୁ ସହରାଞ୍ଚଳରେ ଛୋଟବଡ଼ ଗଛ ରହିଥିବା ସ୍ଥାନରେ ଆମର ଅଳିଆ ଆବର୍ଜନାକୁ ସଫା କରିବା ନାମରେ ଯେଉଁ ନିଅଁା ଲଗାଯାଉଛି, ତାହାଦ୍ୱାରା ସହରାଞ୍ଚଳର ଛୋଟ ଛୋଟ ଗଛ ପୋଡ଼ି ନଷ୍ଟ ହେଉଛି। ଦ୍ୱୈତନଗରୀ କଟକ-ଭୁବନେଶ୍ୱରରେ ଏହାର ଅନୁଭୂତି କିଛି କମ୍‌ ନୁହେଁ। ତେଣୁ ସମୟ ଆସିଛି ଏ କ୍ଷେତ୍ରରେ ଆମ ସମସ୍ତଙ୍କର ଉତ୍ତରଦାୟିତ୍ୱକୁ ଦୃଢ଼ୀଭୂତ କରିବା। ନଚେତ୍‌ ଜଙ୍ଗଲ ନିଅଁା ସହରାଞ୍ଚଳକୁ ମାଡ଼ି ଆସିବାର ସମୟ ଆଉ ବେଶି ଦୂର ନୁହେଁ?
ସହକାରୀ ବନ ସଂରକ୍ଷକ, ରାୟଗଡ଼ା , ବନଖଣ୍ଡ, ରାୟଗଡ଼ା, ମୋ-୯୪୩୭୨୫୭୧୨୩


Enter your email to get our daily news in your inbox.

All Right Reserved By Dharitri.Com

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri