ଜଙ୍ଗଲରେ ରହୁଥିବା ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ପଡ଼ିଲା

କୋକସରା-୫।୪ (ଡି.ଏନ.ଏ.) : କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଖଲିଗଡ ଗ୍ରାମର ଦମ୍ପତ୍ତି ଘେନୁ ମାଝୀ (୬୨) ଓ ମଙ୍ଗଳ ଦେଇ (୬୦) ଦୀର୍ଘ ୧୦ ବର୍ଷ ହେବ ସାହାଜଖୋଲ ଜଙ୍ଗଲ ଗୁଡହାଣ୍ଡି ଡୋକରୀ ଚଞ୍ଚରାରେ ଏକ କୁଡିଆ କରି ରହୁଛନ୍ତି । ବୟସର ଅପରାହ୍ନରେ ଏହି ଦମ୍ପତ୍ତି ପହଞ୍ଚି ସାରିଥିବା ବେଳେ ଏମାନଙ୍କୁ ସରକାରୀ ଯୋଜନାରେ କିଛି ମଧ୍ୟ ମିଳୁ ନ ଥିଲା । ଏହି ବୃଦ୍ଧ ଦମ୍ପତ୍ତି ଜଙ୍ଗଲରେ ମିଳୁଥିବା ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରି ପେଟ ପୋଷୁଥିଲେ କିମ୍ବା ଡୋକରୀ ଚଞ୍ଚରା କୁ ପର୍ଯ୍ୟଟକ ଆସିଲେ ସେମାନଙ୍କୁ କିଛି ରନ୍ଧା ଖାଦ୍ୟ ମିଳୁଥିଲା । ଏମାନେ ପଞ୍ଚାୟତ ପ୍ରତିନିଧିଙ୍କ ନିକଟରେ ଅନେକ ଥର ଆବାସ , ବାର୍ଦ୍ଧକ୍ୟ ଭତ୍ତା, ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ ସାମଗ୍ରୀ ପାଇଁ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ମିଳୁ ନ ଥିଲା । କରୋନା ଯୋଗୁ ଲକ୍ ଡାଉନ୍ ହେବା ଫଳରେ ଡୋକରୀ ଚଞ୍ଚରାକୁ ପର୍ଯ୍ୟଟକ ଆଉ ଆସି ନ ଥିଲେ । ଏହା ଫଳରେ ଦୁଇ ପ୍ରାଣୀ ଭୋକ ଉପାସରେ ଦିନ କାଟୁଥିଲେ । ତେବେ କିଛି ଗଣମାଧ୍ୟମ ପ୍ରତିନିଧି ଏହି ବୃଦ୍ଧ ଦମ୍ପତ୍ତିଙ୍କ ସମସ୍ୟାକୁ ନେଇ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କୁ ଜଣାଇଥିଲେ । ଏହାକୁ ଗୁରୁତ୍ୱ ଦେଇ ବ୍ଲକ ପ୍ରଶାସନ ଡୁଡୁକାଠେଙ୍ଗା ସରପଞ୍ଚ ଓ ପଞ୍ଚାୟତ ପିଇଓ ସହଦେବ ଭଏଁସାଲଙ୍କୁ ନିର୍ଦ୍ଦେଶ ଦେବା ସହ ବୃଦ୍ଧ ଦମ୍ପତ୍ତିଙ୍କ ଆବଶ୍ୟକ କାଗଜ ପତ୍ର ଆଣି ତୁରନ୍ତ ଭତ୍ତା ଓ ରାସନ ସାମଗ୍ରୀ ଦେବାକୁ କହିଥିଲେ । ପଞ୍ଚାୟତ ପିଇଓ ସହଦେବ ଭଏଁସାଲ ଓ ସରପଞ୍ଚଙ୍କ ପ୍ରତିନିଧି ଗଙ୍ଗାରାମ ବାଣୁଆ ଡୋକରୀ ଚଞ୍ଚରା ପହଞ୍ଚି ବୃଦ୍ଧ ଦମ୍ପତ୍ତିଙ୍କୁ ଭତ୍ତା ବାବଦରେ ୫ ହଜାର ଟଙ୍କା, ୩୦ କେଜି ଚାଉଳ ଓ ସାବୁନ ଦେଇ ସରକାରଙ୍କ “ମୋ ଜୀବନ” କାର୍ଯ୍ୟକ୍ରମରେ ଶପଥ କରାଇଥିଲେ । । ବ୍ଲକ ପ୍ରଶାସନର ସହାୟତା ପାଇ ଏବେ ବୃଦ୍ଧ ଦମ୍ପତ୍ତିଙ୍କ ଖୁସି କହିଲେ ନ ସରେ । ଏହା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେମାନେ କୃତଜ୍ଞତା ଜଣାଇଥିଲେ । ବ୍ଲକ ପ୍ରଶାସନର ଏଭଳି ତୁରନ୍ତ ପଦକ୍ଷେପକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ସ୍ୱାଗତ କରିଛନ୍ତି ।