Categories: ରାଜ୍ୟ

‘ଜଗା ପାଇଁ ଗଛଟିଏ’ ସ୍ଳୋଗାନ: ଛାତ୍ରଙ୍କ ଦ୍ୱାରା ଚାରାରୋପଣ

ଭାପୁର,୬ା୭(ଡି.ଏନ୍‌.ଏ.): ପୁରୀର ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରତିବର୍ଷ ନୟାଗଡ଼ ଜିଲାରୁ ହିଁ ରଥକାଠ ପଠାଯାଇଥାଏ। କିନ୍ତୁ ପୂର୍ବଭଳି ନୟାଗଡ଼ ଜିଲା ଜଙ୍ଗଲଗୁଡ଼ିକରେ ରଥ ଉପଯୋଗୀ ସମସ୍ତ କାଠ ମିଳୁ ନ ଥିବା ସୂଚନା ମିଳିଛି। ତେଣୁ ଜିଲାର ବହୁ ବଦାନ୍ୟ ବ୍ୟକ୍ତି ସେମାନଙ୍କ ବିଲ, ବାଡ଼ିରେ ଥିବା ଫାଶି, ଅସନ, ଭଳି ବୃକ୍ଷକୁ ରଥକାଠ ନିମନ୍ତେ ଦାନ ଆକାରରେ ଦେଇଥାନ୍ତି। ତେବେ ସବୁବର୍ଷ ବେସରକାରୀ ସୂତ୍ରରୁ ଏହି କାଠ ଯୋଗାଣ କରିବାରେ ସମସ୍ୟା ଦେଖାଦେଇଛି। ଏଥିପାଇଁ ବିଦ୍ୟାଳୟ ଛାତ୍ର, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ‘ଜଗା ପାଇଁ ଗଛଟିଏ’ ସ୍ଲୋଗାନ ଦେଇ ଘୋଷଯାତ୍ରା ଅବସରରେ ରଥକାଠ ଉପଯୋଗୀ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମରେ ଗୁରୁବାର ଚାରାରୋପଣ କରାଯାଇଛି। ଏହି ଅବସରରେ ନୟାଗଡ଼ ଜିଲା ଫତେଗଡ଼ ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ଛାତ୍ର ଏକାଠି ହୋଇ ନିକଟସ୍ଥ ଜଙ୍ଗଲକୁ ଯାଇ ବିଭିନ୍ନ ରଥକାଠ ଉପଯୋଗୀ ଚାରା ସଂଗ୍ରହ କରି ଗ୍ରାମର ନୂଆପୋଖରୀ ହୁଡ଼ାରେ ଲଗାଇଥିଲେ। ଅଧ୍ୟାପକ ଜିତୁରଞ୍ଜନ ଦାଶ ଓ ଶିକ୍ଷକ ସନ୍ତୋଷ କୁମାର ଜଗା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ନେଇ ଛାତ୍ରମାନଙ୍କୁ ପ୍ରେରଣା ଓ ସହଯୋଗ କରିଥିଲେ। ଗ୍ରାମର ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସେଣ୍ଟର ଫର ୟୁଥ୍‌ ଆଣ୍ଡ ସୋସିଆଲ ଓ୍ବେଲଫେୟାର’ ମଧ୍ୟ ଛାତ୍ରମାନଙ୍କୁ ସହଯୋଗ କରିଥିବା ଜଣାପଡ଼ିଛି।