ଜଗତ୍‌ସିଂହପୁରରେ ଶୁଭାରମ୍ଭ ହେଲା ଇ-ଅଫିସ୍‌

ଜଗତ୍‌ସିଂହପୁର ଅଫିସ୍‌,୧।୨: ଫାଇଲ ଚାଷ ଯୋଗୁ ଅନେକ ସମୟରେ ଲୋକଙ୍କ ପାଖରେ ସେବା ପହଞ୍ଚତ୍ବାରେ ବିଳମ୍ବ ହେଉଛି। ଏପରି କି ଫାଇଲ ହଜିଯାଉଥିବା କୁହାଯାଇ ଅନେକ ପ୍ରସଙ୍ଗକୁ ବିବାଦୀୟ କରି ଦିଆଯାଉଛି। କେତେକ ସରକାରୀ କର୍ମଚାରୀ ଦୁର୍ନୀତି ଲୁଚାଇବା ପାଇଁ ଜାଣିଶୁଣି ଫାଇଲ କିମ୍ବା ତା’ ଭିତରେ ଥିବା ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚିରି ତଦନ୍ତକୁ ବାଟବଣା କରୁଥିବା ଅଭିଯୋଗ ହେଉଛି। ତେଣୁ ବ୍ୟବସ୍ଥାରେ ସୁଧାର ଆଣିବା ବିଶେଷକରି ସ୍ବଚ୍ଛତା ଆଣିବା ପାଇଁ ସରକାର ଇ-ଅଫିସ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ ୫-ଟିର ଅଂଶବିଶେଷ। ରାଜ୍ୟର ୩ଟି ଜିଲାରେ ଇ-ଅଫିସ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନିଆଯାଇଛି। ତେବେ ପ୍ରଥମ ଜିଲା ଭାବେ ଜଗତ୍‌ସିଂହପୁରରେ ଇ-ଅଫିସ କାର୍ଯ୍ୟକାରୀ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଇ-ଅଫିସ ପରିସରଭୁକ୍ତ କରାଯାଇଛି। ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଖୁବଶୀଘ୍ର ଜିଲାର ସମସ୍ତ ତହସିଲ ଓ ବ୍ଲକକୁ ଇ-ଅଫିସ ଅନ୍ତର୍ଭୁକ୍ତ କରାଯିବ। ଏହି ଅବସରରେ ଜିଲାପାଳ କହିଥିଲେ, ଜଗତ୍‌ସିଂହପୁର ପାଇଁ ଆଜି ଏକ ଶୁଭଦିନ। ଏଣିକି ସମସ୍ତ ସରକାରୀ କାର୍ଯ୍ୟ ଇ-ଅଫିସ ମାଧ୍ୟମରେ କରାଯିବ। ଏହାଫଳରେ ସରକାରୀ କାର୍ଯ୍ୟରେ ସ୍ବଚ୍ଛତା ରହିବା ସହିତ ବିନା କାଗଜରେ ଫାଇଲ କାର୍ଯ୍ୟ କରାଯାଇପାରିବ। ଏହାଦ୍ୱାରା ସମୟ ଅପଚୟ ହେବ ନାହିଁ। ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ କହିଥିଲେ, ଇ-ଅଫିସ ୫-ଟି କାର୍ଯ୍ୟକ୍ରମର ଅଂଶ ବିଶେଷ ହୋଇଥିବାରୁ ସରକାରୀସ୍ତରରେ ସ୍ବଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ିବ। ଅନ୍ୟମାନଙ୍କ ମଧ୍ୟରେ ଏନ୍‌ଆଇସି ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ବିଭୁପ୍ରସାଦ ମିଶ୍ର ଯୋଗଦେଇ କହିଥିଲେ, ସମ୍ପ୍ରତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ହେଉଛି ପ୍ରକୃତ ଶକ୍ତି। ପୋଷ୍ଟାଲରେ ଚିଠିପତ୍ର କାରବାର କମିଗଲାଣି। ହ୍ବାଟ୍‌ସ ଆପ୍‌ ଓ ଇ-ମେଲ୍‌ରେ ମେସେଜ୍‌ ଓ ଚିଠି ପଠାଯାଇପାରୁଛି। ଜିଲା ସୂଚନା ଓ ପ୍ରଯୁକ୍ତି ଅଧିକାରୀ ଜ୍ୟୋତି ପ୍ରକାଶ ବେହେରା ଇ-ଅଫିସ୍‌ର ପରିକଳ୍ପନାଠାରୁ କାର୍ଯ୍ୟକାରିତା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଇ-ଅଫିସ ଟିମ୍‌ ଲିଡର୍‌ ଶିବ ପ୍ରସାଦ ନାୟକ, ଏଡିଆଇଏନ୍‌ଆଇସି ସୁଜିତ କୁମାର ବିଶ୍ୱାଳ, ଜିଲା ଇ-ଗଭର୍ନାନ୍ସ ପରିଚାଳକ ଅରବିନ୍ଦ ଆଚାର୍ଯ୍ୟ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।