ଜଗତପୁରରେ ବଢ଼ୁଛି ଏଡିଶ୍‌ ମଶା ବଂଶ: ଡେଙ୍ଗୁ ଆଶଙ୍କା

କଟକ ଅଫିସ,୨୨ା୪: କରୋନା ସଂକ୍ରମଣର ଭୟ ନ କମୁଣୁ କଟକ ଜିଲା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି ଡେଙ୍ଗୁ ରୋଗ। ବୁଧବାର ଜଗତପୁର ଓ ଏହାର ଆଖପାଖ ଅଞ୍ଚଳରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଏଣ୍ଟୋମୋଲୋଜି (କୀଟ ବିଜ୍ଞାନ) ବିଭାଗ ଅଧିକାରୀ ଓ ଇନସେକ୍ଟ କଲେକ୍ଟର (କୀଟ ସଂଗ୍ରହକାରୀ)ମାନେ ଉକ୍ତ ସ୍ଥାନରୁ ଏଡିଶ ମଶାର ଲାର୍ଭା ସଂଗ୍ରହ କରିଛନ୍ତି। ଏହି ଅଞ୍ଚଳରେ ଡେଙ୍ଗୁ ରୋଗର ବାହକ ତଥା ଏଡିଶ ମଶା ବଂଶ ବୃଦ୍ଧି ପାଉଥିବା ଜଣାପଡ଼ିଛି। ଉକ୍ତ ଅଞ୍ଚଳଗୁଡ଼ିକୁ କଟକ ମହାନଗର ନିଗମ(ସିଏମ୍‌ସି) ପକ୍ଷରୁ ଖୁବଶୀଘ୍ର ବିଶୋଧନ କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
କରୋନା କଟକଣା ଯୋଗୁ ଜଗତପୁର ଅଞ୍ଚଳରେ ବିଭିନ୍ନ କମ୍ପାନୀ ଗତ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ବନ୍ଦ ରହିଛି। କମ୍ପାନୀଗୁଡ଼ିକର ଆସବାବପତ୍ର ବ୍ୟବହାର ହେଉ ନ ଥିବାରୁ ଏଠାରେ ମଶା ବଂଶ ବୃଦ୍ଧି ପାଉଛି। ଜଗତପୁରରେ ଥିବା ଏକ ମୃଦୁ ପାନୀୟ କମ୍ପାନୀ ସମେତ ଏକ ଫାର୍ମା କମ୍ପାନୀ ଓ ବସ୍ତିରେ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ପୂର୍ବ ତୁଳନାରେ ଏଠାରେ ଏବେ ଏଡ଼ିିଶ ମଶାର ଘନତ୍ୱ ବଢିଥିବା ଜଣାପଡ଼ିଥିଲା। ଏଠାରେ ଦୀର୍ଘଦିନ ଧରି ଜମିରହିଥିବା ପାଣିରେ ପ୍ରଚୁର ମାତ୍ରାରେ ଏଡିଶ ମଶାର ଲାର୍ଭା ଭାସୁଥିବା ସ୍ବାସ୍ଥ୍ୟ ବିଭାଗ ନଜରକୁ ଆସିଛି। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ସିଡିଏମ୍‌ଓଙ୍କ ନିର୍ଦ୍ଦେଶରେ ସହରର ଆଭ୍ୟନ୍ତରୀଣ ସ୍ଥାନଗୁଡ଼ିକରେ ନିୟମିତ ବ୍ୟବଧାନରେ ଚଢ଼ାଉ କରାଯାଉଛି। ମଙ୍ଗଳବାର ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ, ମଙ୍ଗଳାବାଗ ଏବଂ ସିଏମ୍‌ସିର ୩୫ନଂ ୱାର୍ଡରେ ବିଭିନ୍ନ ସ୍ଥାନକୁ ପରୀକ୍ଷାମୂଳକ ଭାବେ ନିଆଯାଇଥିଲା। ତେବେ ଉକ୍ତ ସ୍ଥାନଗୁଡ଼ିକରେ ଏଡ଼ିଶ ମଶା ବଂଶ ପୂର୍ବାପେକ୍ଷା ବୃଦ୍ଧି ପାଇ ନ ଥିବା ଜଣାପଡ଼ିଥିଲା। ମାତ୍ର ଜଗତପୁରରେ ପରିସ୍ଥିତ ସଙ୍ଗିନ ଆଡ଼କୁ ଗତି କରୁଛି। ଆଗକୁ ବର୍ଷାଦିନ ଆସୁଥିବାରୁ ଏ କ୍ଷେତ୍ରରେ ବିଶେଷ ସଚେତନତା ଗ୍ରହଣ କରିବାକୁ ହେବ ବୋଲି ସେ କହିଥିଲେ। ଜଗତପୁର ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ ବେଳେ ଇନସେକ୍ଟ କଲେକ୍ଟର ବିଭାଗର ଜଣେ ରାଜ୍ୟସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଚଢାଉରେ ଜୁନିୟର ଏଣ୍ଟାମୋଲୋଜିଷ୍ଟ ରାଜଲକ୍ଷ୍ମୀ, ଜିଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ବିଜୟ କୁମାର ବେଉରା, ସେଖ ଆସିମ ଉଦ୍ଦିନ, ଇନସେକ୍ଟ କଲେକ୍ଟର ମିହିର ପଟ୍ଟନାୟକ, ବିଷ୍ଣୁ ଚରଣ ନାୟକ ପ୍ରମୁଖ ସାମିଲ ଥିଲେ।