Categories: ଜାତୀୟ

ଛୋଟ ପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହ ଲଢ଼ିବାକୁ ଯୋଜନା କରୁଛନ୍ତି ମାଓବାଦୀ

ରାୟପୁର,୨୦।୭: ଲଗାତାର ଆତ୍ମସମର୍ପଣ, ଗିରଫ ତଥା ଏନ୍‌କାଉଣ୍ଟର ଆଦିରେ ମାଓବାଦୀ ସଦସ୍ୟଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଛତିଶଗଡ଼ ମାଓବାଦୀ ପ୍ରବଣ ଅଞ୍ଚଳରେଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ମାଓବାଦୀ। ଏନେଇ ଗୋଇନ୍ଦା ସୂଚନା ମିଳିଥିବା କୁହାଯାଉଛି। ମାଓବାଦୀମାନେ ଛୋଟପିଲାଙ୍କୁ ଢ଼ାଲ କରି ସୁରକ୍ଷାକର୍ମୀଙ୍କ ସହିତ ଲଢ଼େଇ କରିବାକୁ ଯୋଜନା କରୁଥିବା କୁହାଯାଉଛି। ଏଥିପାଇଁ ଛୋଟପିଲାଙ୍କୁ ନେଇ ବାଲ୍‌ ସଙ୍ଘମ୍‌ ଗଠନ କରାଯାଉଛି। ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ସମୟରେ ଏହି ବାଲ୍‌ ସଙ୍ଘମ୍‌ର ସଦସ୍ୟଙ୍କୁ ଆଗକୁ ଛଡ଼ାଯିବ। ଛୋଟପିଲାଙ୍କୁ ଦେଖି ସୁରକ୍ଷାକର୍ମୀ ଗୁଳିଚଳାଇବା ନିଶ୍ଚିତ ବନ୍ଦ କରିବେ। ଏହାର ସୁଯୋଗ ନେଇ ମାଓବାଦୀ ଆକ୍ରମଣ କରିବେ ବୋଲି ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ଇତିମଧ୍ୟରେ ସୁରକ୍ଷାକର୍ମୀ ମାଓବାଦୀ ପ୍ରବଣ ଅଞ୍ଚଳର କେତେକ ଜଙ୍ଗଲରେ ଛୋଟପିଲାଙ୍କଠାରୁ ଟିଫିନ୍‌ ବୋମା, ବିସ୍ଫୋରକ, ଇଲେକ୍ଟ୍ରିକ୍‌ ଓ୍ବେର ଆଦି ଆପତ୍ତିଜନକ ସାମଗ୍ରୀ ଜବତ କରିଛନ୍ତି। ଛୋଟପିଲାଙ୍କୁ ସ୍କୁଲ ପୋଷାକରେ ଲଢ଼େଇ ସମୟରେ ଆଗକୁ ଛାଡିବାର ଯୋଜନା ମାଓବାଦୀ କରିଥିବା କୁହାଯାଉଛି।

Share