Categories: ଖେଳ

ଛେତ୍ରୀ ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୧୦ା୭ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ବର୍ଷର ଶ୍ରେଷ୍ଠ ପୁରୁଷ ଫୁଟ୍‌ବଲର ଭାବେ ମନୋନୀତ କରିଛି। ସେ ରେକର୍ଡ ୬ଷ୍ଠ ଥର ପାଇଁ ଏହି ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି। ୩୪ ବର୍ଷୀୟ ଷ୍ଟ୍ରାଇକର କିଛି ବର୍ଷ ହେଲା ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବରୁ ସେ ଏହି ପୁରସ୍କାର ୨୦୦୭, ୨୦୧୧, ୨୦୧୩, ୨୦୧୪ ଓ ୨୦୧୭ରେ ଜିତିଥିଲେ। ବର୍ତ୍ତମାନ ସେ ଇଣ୍ଡିଆନ ସୁପର ଲିଗ୍‌ରେ ବେଙ୍ଗାଲୁରୁ ଏଫ୍‌ସି ତରଫରୁ ଖେଳୁଛନ୍ତି। ବର୍ତ୍ତମାନ ସକ୍ରିୟ ଥିବା ଖେଳାଳିମାନଙ୍କ ମଧ୍ୟରେ ଛେତ୍ରୀ ହେଉଛନ୍ତି ଦ୍ୱିତୀୟ ସର୍ବାଧିକ ଅନ୍ତର୍ଜାତୀୟ ଗୋଲ ସ୍କୋରର। ସେ ୭୦ ଗୋଲ କରିସାରିଥିବା ବେଳେ କ୍ରିଷ୍ଟିଆନୋ ରୋନାଲ୍‌ଡୋ (୧୪୯)ଙ୍କ ପଛରେ ରହିଛନ୍ତି। ସେ ଲିଓନେଲ ମେସି(୬୮)ଙ୍କୁ ଅତିକ୍ରମ କରିଯାଇଛନ୍ତି, ଯିଏକି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି। ୨୦୧୯ ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ ଓପନ୍‌ରରେ ତାଜିକ୍‌ସ୍ତାନ ବିପକ୍ଷ ମ୍ୟାଚରେ ୨ଟି ଗୋଲ ସ୍କୋର କରିବା ପରେ ଏହି ସଫଳତା ହାସଲ କରିଛନ୍ତି। ଛେତ୍ରୀ ପୁନଶ୍ଚ ଦେଶ ତରଫରୁ ସର୍ବାଧିକ ମ୍ୟାଚ ଖେଳିଥିବା ଫୁଟ୍‌ବଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ସେ ୧୦୯ ଥର ପ୍ରତିନିଧିତ୍ୱ କରିଥିବାବେଳେ ତାଙ୍କ ପଛକୁ ରହିଥିବା ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ୧୦୭ ଥର ଖେଳିଛନ୍ତି।

Share