ଛୁରାମାଡ଼ରେ ଯୁବକ ମୃତ, ଅଭିଯୁକ୍ତ ଗିରଫ

କୋଦଳା,୧୫ା୧୦(ଡି.ଏନ.ଏ.)-କୋଦଳା ଥାନା ବଡ ଗୁଢ଼ିଆଳି ଗ୍ରାମରେ ଛୁରା ମାଡ଼ରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ମୋଚିୟା ନାୟକଙ୍କ ପୁଅ ପିଣ୍ଟୁ (୨୫)। ମୋଚିୟାଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ ନଂ. ୨୮୩/୧୯ରେ ମାମଲା ରୁଜୁ କରି ଅଭିଯୁକ୍ତ ନରି ବାରିକଙ୍କୁ ଗିରଫ କରିଛି।

ପ୍ରକାଶ ଯେ, ଗ୍ରାମର ନରି ଓ ପିଣ୍ଟୁଙ୍କ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିଲା। ଗତ ରବିବାର ରାତିରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପିଣ୍ଟୁ ଘରକୁ ଚାଲିଯାଇଥିଲା। କିନ୍ତୁ ନରିର ରାଗ ଥମିନଥିଲା। ସେ କ୍ରୋଧରେ ଏକ ଛୁରି ନେଇ ପିଣ୍ଟୁଙ୍କ ଘର ସମ୍ମୁଖରେ ଗାଳି ଗୁଲଜ କରିଥିଲା। କାହିଁକି ଗାଳି କରୁଛୁ କହି ପିଣ୍ଟୁର ବାପା ପ୍ରତିବାଦ କରିବାରୁ ନରି ମୋଚିୟାଙ୍କୁ ମାଡମାରି ଘର ଭିତରେ ପଶି ପିଣ୍ଟୁକୁ ଛୁରିରେ ଆକ୍ରମଣ କରି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା। ପରିବାର ଲୋକେ ଗୁରୁତର ପିଣ୍ଟୁକୁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏ ନେଇ ମୋଚିଆ ସୋମବାର ଥାନାରେ ଏତଲା ଦେଇଥିଲେ। ମଙ୍ଗଳବାର ଭୋର୍‌ରେ ପିଣ୍ଟୁଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।